ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କମ୍ୟୁନିଟି ରେଡିଓ ଷ୍ଟେସନ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପ୍ରସାରଣର ୧୩ ବର୍ଷ ପୂରଣ କରିଛି। ଏହି ବର୍ଷ ପୂର୍ତ୍ତି ଉପଲକ୍ଷେ ସୋଆର ଉପାଧ୍ୟକ୍ଷ ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜକୁ ଜନହିତକର ସୂଚନା ଦେବାରେ ସୋଆ କମ୍ୟୁନିଟି ରେଡିଓ ଅଗ୍ରଣୀ ଭୂମିକା ତୁଲାଉଥିବା କହିଛନ୍ତି ।

୨୦୧୨ ଅକ୍ଟୋବର ୧୫ ତାରିଖରେ ଆରମ୍ଭ ହୋଇଥିବା ସୋଆ କମ୍ୟୁନିଟି ରେଡିଓ ସଚେତନତା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି, ମହିଳା ସଶକ୍ତିକରଣ, କୃଷି, ସାଂସ୍କୃତିକ, ପର୍ଯ୍ୟଟନ, ଐତିହ୍ୟ, ଜଳବାୟୁ ପରିବର୍ତନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏକ ଦୃଢ଼ ମଞ୍ଚ ହୋଇପାରିଛି ବୋଲି ଶ୍ରୀମତି ଦାସ କହିଥିଲେ ।

୧୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀମତି ଦାସ ରେଡିଓର ସମସ୍ତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ଅନୁକରଣୀୟ ପ୍ରଦର୍ଶନ ଏବଂ ସହରର ସବୁଠାରୁ ଲୋକପ୍ରିୟ ରେଡିଓ ତାଲିକାରେ ସ୍ଥାନୀତ ହେବା ଏବଂ ସମାଜର ସେବା କରିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ସୋଆ ରେଡିଓର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀମତି ହନି ପଟ୍ଟନାୟକ କହିଥିଲେ ଭଏସ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏକ ଦାୟିତ୍ୱ ସମ୍ପନ୍ନ ପ୍ରସାରଣ ମାଧ୍ୟମ ଏବଂ ଏହା ସର୍ବଦା ଗୁଣାତ୍ମକ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ନିକଟରେ ପହଂଚିବାକୁ ଉଦ୍ୟମ ଜାରି ରଖିବ ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ମହାନ୍ତି, ସୋଆ ରେଡିଓର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।