LIVE TV

ରୋହିତଙ୍କ ଶତକ, କୋହଲି ବି ମାରିଲେ ଫିପଟି, ସିଡନୀରେ ଭାରତର ଧମାକାଦାର ବିଜୟ

NEWS7
IND vs AUS

ସିଡନୀ: ଐତିହାସିକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗର୍ଜିଲା ରୋହିତ ଶର୍ମାଙ୍କ ବ୍ୟାଟ୍। କୋହଲି ବି ଖେଳିଲେ ଦମଦାର ଇନିଂସ। ରୋହିତଙ୍କ ଅପରାଜିତ ଶତକ ଓ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ଦମରେ ତୃତୀୟ ଦିନିକିଆକୁ ସଜରେ ୯ ଓ୍ଵିକେଟରେ ଜିତି ନେଇଛି ଭାରତ। ତଥାପି ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୩୬ ରନ କରିଥିଲା। ଜବାବରେ ରୋହିତଙ୍କ ଅପରାଜିତ ୧୨୧ ରନ ଓ ବିରାଟଙ୍କ ଅପରାଜିତ ୭୪ ରନ ବଳରେ ୩୮.୩ ଓଭରରେ ଭାରତ ମ୍ୟାଚ୍ ଜିତି ନେଇଛି। ରୋହିତ ଓ କୋହଲି ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ  ୧୬୮ ରନ ଯୋଡ଼ିଛନ୍ତି। ଆଉ ୯ ବର୍ଷ ପରେ ସିଡନୀରେ ବିଜୟର ବାନା ଉଡ଼ାଇଛି ଟିମ୍ ଇଣ୍ଡିଆ। ବୋଲିଂରେ ହର୍ଷିତ ରାଣା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ବି ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

୨୩୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ୧୦.୨ ଓଭରରେ ୬୯ ରନ ଯୋଡ଼ି ଭାରତ ବିଜୟର ମୂଳଦୁଆ ପକାଇଥିଲେ। ଶୁଭମନ ଗିଲ୍ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ ରୋହିତ ଓ ବିରାଟ କୋହଲି। ଦୁଇ ବ୍ୟାଟର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ରୋହିତ ଗତ ମ୍ୟାଚର ଫର୍ମକୁ ବଜାୟ ରଖିଥିବା ବେଳେ କୋହଲି  ମଧ୍ୟ ଭଲ ଟଚ୍‌ରେ ନଜର ଆସିଥିଲେ। ଦୁହେଁ ଅଷ୍ଟ୍ରେଲିଆ ବୋଲରଙ୍କୁ କୌଣସି ସୁଯୋଗ ନ ଦେଇ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଏହା ମଧ୍ୟରେ ରୋହିତ ପ୍ରଥମେ ଅର୍ଦ୍ଧଶତକ ଏବଂ ପରେ ୧୦୫ ବଲରେ ଏହାକୁ  ଶତକରେ ପରିଣତ କରିଥିଲେ। ଦିନିକିଆରେ ରୋହିତଙ୍କ ଏହା ୩୩ତମ ଶତକ ଥିଲା। ମୋଟ୍ ଉପରେ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କ ଏହା ୫୦ତମ ଶତକ କୋହଲି ମଧ୍ୟ ଚମତ୍କାର ବ୍ୟାଟିଂ କରି ଦିନିକିଆରେ ୭୫ତମ ଅର୍ଦ୍ଧଶତକ ପୂରଣ କରିଥିଲେ।

ଦୁଇ ବ୍ୟାଟରଙ୍କ ଆଗରେ ଅସହାୟ ନଜର ଆସିଥିଲେ କଙ୍ଗାରୁ ବୋଲର। ରୋହିତ ଶତକ ହାସଲ ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୬୮ ରନ ଯୋଡ଼ି ଭାରତକୁ ସହଜ ବିଜୟ ଦେଇଥିଲେ।  ରୋହିତ ୧୨୫ ବଲରୁ ୧୩ ଚୌକା ଓ ୩ ଛକା ସହ ୧୨୧ ରନ ଓ ବିରାଟ କୋହଲି ୮୧ ବଲରୁ ୭ ଚୌକା ସହ ୭୪ ରନ କରି ଅପରାଜିତ ଥିଲେ। ଏଥିସହ ଭାରତ ୩୮.୩ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି।ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜେଲଉଡଙ୍କୁ ଏକମାତ୍ର ଓ୍ଵିକେଟ୍ ମିଳିଛି। ​​​​​​​

​​​​​​​ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୬.୪ ଓଭରରେ ୨୩୬ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ମ୍ୟାଟ୍ ରେନଶ ସର୍ବାଧିକ ୫୬ ରନ କରିଥିବା ବେଳେ ମିଚେଲ୍ ମାର୍ଶ ୪୧ ରନ, ମାଥ୍ୟୁ ସର୍ଟ ୩୦ ରନ କରିଥିଲେ। ଆଲେକ୍ସ କେରି ୨୪ ଓ କୁପର କନୋଲି ୨୩ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ହର୍ଷିତ ରାଣା ଶାଣିତ ବୋଲିଂ କରି ୩୯ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଓ୍ଵାଶିଂଟନ ସୁନ୍ଦରଙ୍କୁ ଦୁଇଟି ଓ୍ଵିକେଟ୍ ମିଳିଛି। ସିରାଜ, ପ୍ରସିଦ୍ଧ, କୁଲଦୀପ ଓ ଅକ୍ଷର ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।