ଗୁଣୁପୁର ୩।୧୦: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଅଞ୍ଚଳ । କେଉଁଠି ଧୋଇଲା ତ କେଉଁଠି ପୋଛିଲା । ଯେଉଁଠି ଦେଖିଲେ ଏମିତି କିଛି ଦେଖିବାକୁ ମିଳୁଛି । ଏଭଳି ସ୍ଥିତି ଏବେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ କଙ୍କ୍ରିଟ୍ ସେତୁକୁ ସଂଲଗ୍ନ କରୁଥିବା ରାସ୍ତା ଧୋଇ ଦେଇଯାଇଥିବା ଦେଖିବାକୁ ମିଳିଛି । ଏହାଠାରୁ ବଳି ପଡ଼ିଛି ଚାଷୀଙ୍କ ସମସ୍ୟା । ହାଡ଼ଭଙ୍ଗା ପରିଶ୍ରମ କରି ଜମିରୁ ଧାନ ଫଳାଇବା ନେଇ ଯେଉଁ ଆଶା ଚାଷୀ ରଖିଥିଲା ତାହା ଆଉ ନାହିଁ । କେଉଁଠି ବାଲିଚର ହୋଇ ଯାଇଛି ତ ଆଉ କେଉଁଠି ଜମିରେ ଗଛ ହିଁ ଦେଖାଯାଉ ନାହିଁ । ଗୁରୁବାର ଠାରୁ ପ୍ରଶାସନ ସ୍ଥିତି ଅନୁଧ୍ୟାନ କରିବା ସହ ଯୋଗାଯୋଗ କିପରି ସ୍ୱାଭାବିକ ହୋଇପାରିବ ସେନେଇ ପଦକ୍ଷେପ ନେଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଧାୟକ, ସାଂସଦ ଓ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ନିର୍ବାହୀ ଅଧିକାରୀ ପ୍ରମୁଖ ପହଞ୍ଚିଥିଲେ ।

ରାୟଗଡା ଜିଲ୍ଲା ଗୁଣପୁରର ଶଗଡା ଆବଡା, ପୁଟାସିଂ, ଟଲଣା ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ବେହାଲ ।  ଗୁରୁବାର ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବର୍ଷା ହୋଇଥିଲା । ଯାହା ଫଳରେ ନାଳରେ ବନ୍ୟା ପାଣି ଆସିବା ଯୋଗୁ ଅନେକ ଚାଷ ଜମିର ଫସଲ ଉଜୁଡ଼ି ଯାଇଥିବା ଦେଖିବାକୁ ମିଳିଛି । କେବଳ ଯେ ଚାଷ ଉଜୁଡି ନାହିଁ ଏକାଧିକ ସ୍ଥାନରେ କଙ୍କ୍ରିଟ୍ ସେତୁକୁ ସଂଲଗ୍ନ ହୋଇଥିବା ରାସ୍ତା ମଧ୍ୟ ଧୋଇ ଦେଇଛି ।

ଅଞ୍ଚଳର ସ୍ଥିତି ସଙ୍ଗୀନ ହେବା ପରେ ଖବର ପାଇ ଉପଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ପୁଟାସିଂ- ଶଗଡା ରାସ୍ତାରେ ଧୋଇ ହୋଇଯାଇଥିବା ରାସ୍ତାକୁ ସ୍ବାଭାବିକ କରିବା ପାଇଁ ପଦକ୍ଷେପ ନେଇଥିଲେ । ବିଳମ୍ବିତ ରାତିରେ ଏହି ରାସ୍ତା ଯାତାୟତ ପାଇଁ ସ୍ବାଭାବିକ ହୋଇଥିଲା । ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ ଓ କୋରାପୁଟ ସଂସାଦ ସପ୍ତଗିରି ଶଙ୍କର ଉଲାକା ପହଞ୍ଚି ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳ ଅଶୁତୋଷ କୁଲକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ, ମୁଖ୍ୟ ଜିଲ୍ଲା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ ବିଡିଓ ସ୍ଵସ୍ତିକ ଜମାଦାର ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଥିଲେ ।