ଶିମଳା – ହିମାଚଳ ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ମଙ୍ଗଳବାର ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ବହୁତ ଖରାପ ହୋଇ ଯାଇଛି। ଏହି କାରଣରୁ ରେଳ ସେବା ସ୍ଥଗିତ ରହିଛି। ୫ଟି ଜାତୀୟ ରାଜପଥ ଓ ୧,୩୩୪ଟି ସଡ଼କ ବନ୍ଦ ରହିଛି। ମିଳିଥିବା ଏକ ରିପୋର୍ଟ ଅନୁସାରେ , କୁଲ୍ଲୁ ଓ ମଣ୍ଡିରେ ପାଖାପାଖି ୨ ହଜାର ଗାଡ଼ି ସେଠାରେ ଫସି ରହିଛନ୍ତି। ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରି ଦିଆ ଯାଇଛି। ପାଣିପାଗ ବିଭାଗ ରାଜ୍ୟର କିଛି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରିଛି।

ଏହି ମଧ୍ୟରେ ପାଣିପାଗ ବିଭାଗ ଆଗାମୀ ୧୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ଚମ୍ୱା, କାଙ୍ଗଡା ଓ କୁଲ୍ଲୁ ଜିଲ୍ଲାର ବିଭିନ୍ନ ଭାଗରେ ଝଡ଼ ଓ  ବଜ୍ରପାତ ସହ ଖୁବ୍‌ ଜୋରରେ ବର୍ଷାର ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେଠାରେ ମଣ୍ଡି , ଶିମଳା , ସୋଲନ, ସିରମୌର, କିନ୍ନୌର ଓ ଲାହୌର-ସ୍ପିତି ଜିଲ୍ଲାର କିଛି ଭାଗରେ ଅଧିକରୁ ଅଧିକ ବର୍ଷାର ଅରେଞ୍ଜ ଆଲର୍ଟ ଜାରି କରିଛି। ଉନା , ବିଲାସପୁର ଓ ହମିରପୁରରେ ପ୍ରବଳ ବର୍ଷାର ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ହିମାଚଳ ପ୍ରଦେଶରେ ୫ଟି ଜାତୀୟ ରାଜମାର୍ଗ ଓ ୧,୩୩୪ ଟି ସଡ଼କ ବନ୍ଦ ରହିଛି। ହିମାଚଳର ମଣ୍ଡିରେ ସବୁଠୁ ଅଧିକ ୨୮୧ଟି ସଡ଼କ ବନ୍ଦ ଅଛି। ମଣ୍ଡିରେ ୨୮୧, ଶିମଳାରେ ୨୫୫, ଚମ୍ୱାରେ ୨୩୯, ସିରମୌରେ ୧୩୯ ଓ ସୋଲନରେ ୪୬ଟି ସଡ଼କ ବନ୍ଦ ଅଛି। କୁଲ୍ଲୁରେ ଏନଏଚ-୩ ଓ ଏନଏଚ୍-୩୦୫ , କିନ୍ନୋରରେ ଏନଏଚ-୫ , ମଣ୍ଡିରେ ଏନଏଚ-୩ ଓ ସିରମୌରରେ ଏନଏଚ -୭୦୭ ଯାତାୟାତ ବନ୍ଦ ହୋଇ ଯାଇଛି।

କୁହାଯାଉଛି ଶିମଳା –କାଲକା ଜାତୀୟ ରାଜମାର୍ଗ-୫ ସୋଲନ ଜିଲ୍ଲାର ସନୱାରାରେ ଭୂସ୍ଖଳନ ଯୋଗୁଁ ବନ୍ଦ ରହିଛି। ଏଥିରେ ଉଭୟ ପଟରେ ବହୁ ସଂଖ୍ୟାରେ ଗାଡ଼ି ଫସି ରହିଛନ୍ତି। ଏହି ରାଜପଥ ହିନ୍ଦୁସ୍ତାନ-ତିବ୍ଦତ ମାର୍ଗ ନାମରେ ମଧ୍ୟ ଜଣାଶୁଣା। ସୋମବାର ଶିମଳା-କାଲକା ରେଳପଥରେ ଭୂସ୍ଖଳନ ପରେ ଟ୍ରେନ୍‌ ସେବା ବାତିଲ କରାଯାଇଛି। ଏହି ଟ୍ରେନ୍‌ ସେବା ୫ ସେପ୍ଟେମ୍ୱର ଯାଏ ସ୍ଥଗିତ ରହିବ। ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ଓ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାକୁ ଦେଖି ସୋମବାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁସାରେ ୯ଟି ଜିଲ୍ଲାର ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ଆଦେଶ ଦିଆଯାଇ ଥିଲା। ଅନ୍ୟପଟେ ଚମ୍ୱା ଜିଲ୍ଲାରେ ପାଖାପାଖି ୫ହଜାର ମଣିମହେଶ ତୀର୍ଥଯାତ୍ରୀ ଫସି ରହିଥିବା କୁହାଯାଉଛି। ଏହି ସବୁ ତୀର୍ଥଯାତ୍ରୀଙ୍କୁ ନିଜ ନିଜ ଘରକୁ ଫେରାଇବାକୁ ଚେଷ୍ଟା କରାଯାଉଥିବା ଅଧିକାରୀ କହିଛନ୍ତି।