ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ଭାଙ୍ଗିଲା ଭାରତର ଅଟୋ ସେକ୍ଟର। ଫେଡେରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA)ର ତଥ୍ୟ ଅନୁଯାୟୀ, ଏଥର ୪୨ ଦିନିଆ ପାର୍ବଣ ଋତୁରେ ଯାନର ଖୁଚୁରା ବିକ୍ରୟ ୨୧% ବୃଦ୍ଧି ପାଇ ୫୨, ୩୮, ୪୦୧ ୟୁନିଟ୍ ହୋଇଛି। ଯାହା ଗତ ବର୍ଷର ୪୩, ୨୫, ୬୩୨ ୟୁନିଟ୍ ତୁଳନାରେ ବହୁତ ଅଧିକ। ଏହି ସମୟ ମଧ୍ୟରେ, ପାସେଞ୍ଜର ଗାଡ଼ିର ବିକ୍ରି ୨୩% ବୃଦ୍ଧି ପାଇ ୭,୬୬,୯୧୮ ୟୁନିଟ୍ ରହିଛି।ସେହିଭଳି ଦୁଇଚକିଆ ବିକ୍ରି ୨୨% ବୃଦ୍ଧି ପାଇ ୪୦, ୫୨, ୫୦୩ ୟୁନିଟ୍‌ ରହିଛି।

FADA ସଭାପତି ସି.ଏସ୍. ବିଘ୍ନେଶ୍ୱର କହିଛନ୍ତି ଯେ, ଏହି ପାର୍ବଣ ଋତୁରେ ହୋଇଥିବା ବିକ୍ରି, ଭାରତର ଅଟୋ ସେକ୍ଟରର ଖୁଚୁରା ବିକ୍ରି ଇତିହାସର ସବୁଠୁ ବଡ଼। GST 2.0 ଯୋଗୁ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଯାନବାହାନ କିଣିବା ସରଳ ଓ ସହଜ ହୋଇଛି। କମ୍ପାକ୍ଟ ଓ ୪ ମିଟରରୁ କମ୍ ଆକାରର ଗାଡ଼ି ଚାହିଦା ସବୁଠୁ ଅଧିକ ରହିଛି। ଗ୍ରାମାଞ୍ଚଳର ମଧ୍ୟ ଗାଡ଼ି ବିକ୍ରି ଆଖିଦୃଶିଆ ଭାବରେ ବଢ଼ିଛି। ଏହା ବାଦ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ମଧ୍ୟ ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ତିନି ଚକିଆ ଏବଂ କର୍ମସିଆଲ ଇଭି ଗାଡ଼ିର ବିକ୍ରି ଯଥାକ୍ରମେ ୯% ଏବଂ ୧୫% ଅଭିବୃଦ୍ଧି ରେକର୍ଡ କରିଛି।

ଯାତ୍ରୀବାହୀ ଗାଡ଼ି ସେଗମେଣ୍ଟରେ ଶୀର୍ଷରେ ମାରୁତି

ଯାତ୍ରୀବାହୀ ଯାନ ସେଗମେଣ୍ଟରେ ମାରୁତି ସୁଜୁକି ୨.୩୯ ଲକ୍ଷ ୟୁନିଟ୍ ବିକ୍ରି କରି ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହା ପରେ ଟାଟା ମୋଟର୍ସ ୧୩ ପ୍ରତିଶତ ବୃଦ୍ଧି ପାଇ ୭୫,୩୫୨ ୟୁନିଟ୍ ଏବଂ ମହିନ୍ଦ୍ରା ୯ ପ୍ରତିଶତ ବୃଦ୍ଧି ପାଇ ୬୭,୯୧୮ ୟୁନିଟ୍ ବିକ୍ରି କରିଛି। ହୁଣ୍ଡାଇ ମୋଟର ଇଣ୍ଡିଆର ଖୁଚୁରା ବିକ୍ରୟ ଅକ୍ଟୋବର ୨୦୨୫ରେ ୭ ପ୍ରତିଶତ ହ୍ରାସ ପାଇ ୬୫,୪୪୨ ୟୁନିଟ୍ ହୋଇଛି।

ଦୁଇଚକିଆ ଯାନ ସେଗମେଣ୍ଟରେ ହିରୋ ମୋଟୋକର୍ପ ଆଗରେ ରହିଛି। ୨୦୨୪ ଅକ୍ଟୋବରରେ କମ୍ପାନି ବିକ୍ରି କରିଥିବା ୫, ୭୭, ୬୭୮ ତୁଳନାରେ ଏଥର ବିକ୍ରି ୭୨% ବଦ୍ଧି ପାଇ ୯, ୯୪, ୭୮୭ ୟୁନିଟ୍ ହୋଇଛି। ଏହା ପରେ ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆର ୪୮% ବୃଦ୍ଧି ପାଇ ୮, ୨୧, ୯୭୬  ୟୁନିଟ୍ ଏବଂ ଟିଭିଏସ ମୋଟର ବିକ୍ରୟ ୫୮% ବୃଦ୍ଧି ପାଇ ୫, ୫୮, ୦୭୫  ୟୁନିଟ୍ ହୋଇଛି।