News7 Logo

ଆମ ସମ୍ୱିଧାନକୁ ନେଇ ଆମେ ଗର୍ବିତ, ପଡୋଶୀଙ୍କ ଅବସ୍ଥା ଦେଖନ୍ତୁ; ନେପାଳ ଓ ବାଂଲାଦେଶ କଥା ଉଲ୍ଲେଖ କଲେ ସିଜେଆଇ

NEWS7
supreme court

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣି ବେଳେ ନେପାଳ ଓ ବାଂଲାଦେଶରେ ହୋଇଥିବା କ୍ଷମତା ପରିବର୍ତ୍ତନ ଓ ହିଂସାତ୍ମକ ଆନ୍ଦୋଳନ କଥା ଉଲ୍ଲେଖ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, 'ଆମ ସମ୍ୱିଧାନ ଉପରେ ଆମେ ଗର୍ବିତ । ଆପଣ ଦେଖନ୍ତୁ ଆମ ପଡ଼ୋଶୀ ଦେଶ ନେପାଳ ଓ ବାଂଲାଦେଶରେ ସ୍ଥିତି କିପରି ରହିଛି ।' ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର ଗଭାଇଙ୍କ ଏହି ଟିପ୍ପଣୀ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଦ୍ୱାରା ବିଲ୍ ପାସ୍ କରାଇବା ଟାଇମଲାଇମ୍ ସ୍ଥିର କରାଯିବା ଉପରେ ଥିଲା । ଏହି ମାମଲାରେ ରାଷ୍ଟ୍ରପତିଙ୍କ ପକ୍ଷରୁ ରେଫେରେନ୍ସ ଦାଖଲ କରାଯାଇଛି ।

ଏହି ମାମଲାରେ ଆଜିର ଶୁଣାଣି ବେଳେ ମଜାଦାର ଯୁକ୍ତି ଦେଖିବାକୁ ମିଳିଥିଲା । ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ରାଜ୍ୟପାଳଙ୍କ ପକ୍ଷରୁ ବିଧେୟକ ରୋକା ଯାଉଥିବା ସୂଚନା ଦେଇଥିଲେ । ଏହା ଉପରେ ବରିଷ୍ଠ ଆଇନଜୀବୀ କପିଲ୍ ସିବ୍ବଲ କହିଥିଲେ ଯେ ୨୦୧୪ ପରଠୁ ଏହିପରି ମାମଲା ବୃଦ୍ଧି ପାଇଛି । ପୂର୍ବରୁ ଏପରି ହେଉ ନଥିଲା । ଏସଜି ମେହେଟା କହିଥିଲେ, ମୁଁ ଆପଣଙ୍କ ସରକାରର ବି ପ୍ରଶଂସା କରୁଛି । ୧୯୭୦ ପରଠୁ ଆଜି ଯାଏର ଡାଟା ମୁଁ ଉପଲବ୍ଧ କରାଇଛି । ଏହା ଉପରେ କପିଲ୍ ସିବ୍ବଲ କହିଥିଲେ, ଆପଣଙ୍କୁ ବି ପ୍ରଶଂସା କରାଯିବା ଦରକାର କାରଣ ୨୦୧୪ ପୂର୍ବରୁ ମଧ୍ୟ ଏପରି କେବେ ହୋଇନଥିଲା । ଏସଜି ମେହେଟା ଏହା ଉପରେ କହିଥିଲେ, ସମ୍ୱିଧାନ କିପରି କାମ କରୁଛି ମୁଁ ତାର ସଠିକ୍ ଡାଟା ଦେଇଛି ।

ସଲିସିଟର ଜେନେରାଲ୍ ଏହା ମଧ୍ୟ କହିଥିଲେ, 'ଆମେ ପ୍ରଥମରୁ ସ୍ପଷ୍ଟ କରିସାରୁଛୁ ଯେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ନୁହନ୍ତି । ସେ ଜଣେ ନିରକ୍ଷେପ ସାମ୍ୱିଧାନିକ ପଦାଧିକାରୀ ଅଟନ୍ତି, ଯିଏ ବିନା ପକ୍ଷପାତରେ କାମ କରନ୍ତି । ସେ ସମ୍ୱିଧାନ ଅନୁସାରେ କାମ କରନ୍ତି ଓ ସେହି ଅନୁସାରେ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରନ୍ତି । ସେ ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ କୌଣସି ମଦଭେଦ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।'