LIVE TV

ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ପୃଥ୍ଵୀ ଶ, ବ୍ୟାଟ୍ ଉଠାଇ ମୁମ୍ବାଇ ଖେଳାଳିଙ୍କ ଆଡ଼କୁ ଧାଇଁଲେ

NEWS7
prithvi shaw

ପୁଣେ: ରଣଜୀ ଟ୍ରଫି ୨୦୨୫-୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ପୁଣେର ଏମସିଏ ଷ୍ଟାଡିୟମରେ ମହାରାଷ୍ଟ୍ର ଓ ମୁମ୍ବାଇ ମଧ୍ୟରେ ତିନି ଦିନିଆ ଓ୍ଵାମଅପ୍ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍‌ର ପ୍ରଥମ ଦିନରେ ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ଵୀ ଶ ଦମଦାର ବ୍ୟାଟିଂ କରିଛନ୍ତି। ସେ ନିଜର ପୁରୁଣା ଦଳ ମୁମ୍ବାଇ ବିପକ୍ଷରେ ୨୨୦ ବଲରୁ ୧୮୧ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସେ ଅର୍ଶିନ କୁଲକର୍ଣ୍ଣିଙ୍କ ସହ ୩୦୫ ରନର ଭାଗିଦାରୀ କରିଥିଲେ।  ହେଲେ ଶୋ ଆଉଟ୍ ହେବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉଟ୍ ହେବା ପରେ ପଡ଼ିଆ ମଝିରେ ମୁମ୍ବାଇର ଅଲରାଉଣ୍ଡର ମୁଶୀର ଖାନଙ୍କ ସହ ତାଙ୍କର ଜୋରଦାର ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

୨୫ ବର୍ଷୀୟ ଶଙ୍କୁ ସରଫରାଜ ଖାନଙ୍କ ଛୋଟ ଭାଇ ମୁଶୀର ଖାନ ଆଉଟ୍ କରିଥିଲେ। ଶ ବଡ଼ ସଟ୍ ଖେଳିବାକୁ ଚାହୁଁଥିଲେ। ମାତ୍ର ଫାଇନ ଲେଗରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ମୁଶୀର ଯେଉଁ ଶୈଳୀରେ ସେଲିବ୍ରେସନ କରିଥିଲେ, ତାହା ଦେଖି ଉତକ୍ଷୀପ୍ତ ହୋଇ ଉଠିଥିଲେ ଶ। ସେ ନିଜର କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ବ୍ୟାଟ୍ ଉଠାଇ ମୁଶୀରଙ୍କ ଆଡ଼କୁ ଧାଇଁ ଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ସାଥୀ ଖେଳାଳି ତାଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ। ସ୍ଥିତି ଦେଖି ତୁରନ୍ତ ମୁମ୍ବାଇର ସବୁ ଖେଳାଳି ଏକତ୍ର ହୋଇଥିଲେ। ଅମ୍ପାୟର ଶଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ପାଭିଲିୟନ ଯିବା ସମୟରେ ବି ମୁମ୍ବାଇର ସିଦ୍ଧେଶ ଲାଡଙ୍କ ସହ ତାଙ୍କ ଯୁକ୍ତିତର୍କ ବି ହୋଇଥିଲା। ଡଗଆଉଟ୍‌କୁ ଯିବା ପରେ ହିଁ ଶଙ୍କ କ୍ରୋଧ ଶାନ୍ତ ପଡ଼ିଥିଲା।

ଶ ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇରୁ ଏନଓସି ମିଳିବା ପରେ ମହାରାଷ୍ଟ୍ର ଦଳରେ ସାମିଲ୍ ହୋଇଥିଲେ। ସେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ମହାରାଷ୍ଟ୍ର ପାଇଁ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅଭ୍ୟାସ ମ୍ୟାଚ୍‌ରେ ପୃଥ୍ୱୀ ଶ' ମହାରାଷ୍ଟ୍ର ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଥିଲେ ଶତକ ହାସଲ କରିଥିଲେ। ସେ ୨୨୦ବଲ୍‌ରୁ ୧୮୧ ରନ୍ କରିଥିଲେ। ଏଥିରେ ୨୧ ଚୌକା ଏବଂ ଛକା ସାମିଲ ଥିଲା। ଶ' ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ଦୂରରେ ଅଛନ୍ତି। ସେ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳିଥିଲେ ହେଁ ଖରାପ ଫର୍ମ, ଫିଟନେସ୍ ଓ ବିବାଦ କାରଣରୁ ଟିମରୁ ବାଦ୍ ପଡ଼ିଥିଲେ। ଏପରିକି ଗତ ରଣଜୀ ସିଜିନରେ ତାଙ୍କୁ ମୁମ୍ବାଇ ପକ୍ଷରୁ ଖେଳିବାର ସୁଯୋଗ ମିଳି ନ ଥିଲା। ଶ ନିଜର ଟେଷ୍ଟ ଡେବ୍ୟୁରେ ଚମତ୍କାର ଶତକ ହାସଲ କରିଥିଲେ।