LIVE TV

ଏସିଆ କପ୍ ଟ୍ରଫି ବିବାଦକୁ ନେଇ ରାଜନୀତ ଜୋର, ଆପ୍-ବିଜେପି ମୁହାଁମୁହିଁ

NEWS7
Asia cup controversy

​​​​​​​ନୂଆଦିଲ୍ଲୀ: ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ନବମ ଥର ଏସିଆ କପ୍ ଟାଇଟଲ୍ ଜିତିଛି ଭାରତୀୟ ଦଳ।  ହେଲେ ପୁରସ୍କାର ସମାରୋହ ସମୟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଭାରତୀୟ ଦଳ ପିସିବି ମୁଖ୍ୟ ମହସିନ ନକଭିଙ୍କଠୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲା। ବିନା ଟ୍ରଫିରେ ଭାରତୀୟ ଦଳ ସେଲିବ୍ରେସନ କରିଥିଲା। ଏବେ ଏହାକୁ ନେଇ ଭାରତରେ ରାଜନୀତି ଜୋର ଧରିଛି। ବିଜେପି ଓ ଆପ୍ ମୁହାଁମୁହିଁ ହୋଇଛନ୍ତି। ବିଜେପି ଟିମ୍ ଇଣ୍ଡିଆର ଏହି ଆଭିମୁଖ୍ୟକୁ ପ୍ରଶଂସା କରିଥିବା ବେଳେ ଆମ୍ ଆଦମୀ ପାର୍ଟି ଏହାର ନିନ୍ଦା କରିଛି। କେନ୍ଦ୍ର ସରକାର ଖେଳାଳିଙ୍କୁ ଦେଶରେ ଅପପ୍ରଚାର ପ୍ରଚାର କରିବାର ନୂଆ ସ୍କ୍ରିପ୍ଟ ଧରାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି।

ରବିବାର ରାତିରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇ ଏସିଆ କପ୍ ଟ୍ରଫି ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ମନ୍ତ୍ରୀ, ନେତା ଏବଂ ବିଶିଷ୍ଟ ବ୍ୟକ୍ତି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ  ଏହି ବିଜୟକୁ କ୍ରୀଡା ମଇଦାନରେ ଅପରେସନ ସିନ୍ଦୂରର ଆଖ୍ୟା ଦେଇଥିଲେ। 

ଟ୍ରଫି ଦେବା ନେଇ ପୁରସ୍କାର ସମାରୋହରେ ଡ୍ରାମା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଟିମ୍ ଇଣ୍ଡିଆ ପିସିବି ମୁଖ୍ୟ ତଥା ଏସିଆନ କ୍ରିକେଟ୍ କାଉନସିଲର ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଥିବା ବେଳେ ଅନ୍ୟପଟେ ଟ୍ରଫି ଦେବାକୁ ଅଡି ବସିଥିଲେ ନଖଭି। ଶେଷରେ ନଖଭି ଟ୍ରଫି ଧରି ଚାଲି ଯାଇଥିଲେ। ବିଜେତା ପଦକ ଏବଂ ଟ୍ରଫି ନ ଦିଆଯିବାରୁ ଭାରତୀୟ ଖେଳାଳି ଖାଲି ହାତରେ ସେଲିବ୍ରେସନ କରିଥିଲା।ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ଖେଳାଳିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି, ଏହା ନୂତନ ଭାରତ।

ମାଲଭିୟ ଏକ୍ସରେ ଲେଖିଛନ୍ତି ଭାରତ ଏସିଆ କପ୍ ଓ ପଦକ ସ୍ଵୀକାର କରିବାକୁ ମନା କରିଥିଲେ। କାରଣ ଏସୀୟ କ୍ରିକେଟ୍ ପରିଷଦ ଅଧ୍ୟକ୍ଷ ମୋହସିନ ନକଭି ଯିଏ ପିସିବି ପ୍ରମୁଖ ଏବଂ ପାକିସ୍ତାନର ଗୃହ ମନ୍ତ୍ରୀ ମଧ୍ୟ। ଆଉ ତାଙ୍କୁ ଟ୍ରଫି ଦେବାକୁ ଜୋର ଦିଆଗଲା। ଆମେ କେବଳ ମଇଦାନରେ ପାକିସ୍ତାନର ସମାଲୋଚନା କରିନୁ ବରଂ ନକଭିଙ୍କୁ ତାଙ୍କର ଔକାତ ମଧ୍ୟ ଦେଖାଇ ଦେଇଛୁ। ଆଉ ନକଭି ପାକିସ୍ତାନ ପରି ଆତଙ୍କୀ ଦେଶର  ପ୍ରମୁଖ ପ୍ରଚାରକ।

ଜବାବରେ ଆପ୍ ବିଧାୟକ ସୌରଭ ଭରଦ୍ଵାଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନକଭିଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି। ମାତ୍ର ୧୫ ଦିନ ପୂର୍ବରୁ ସିରିଜ ଆରମ୍ଭରେ ସୂର୍ଯ୍ୟକୁମାର ନକଭିଙ୍କ ସହ ହାତ ମିଳାଇଥିଲେ। ହେଲେ ଭାରତରେ ଯେବେ ମ୍ୟାଚ୍‌କୁ ନେଇ ବିରୋଧ ଆରମ୍ଭ ହେଲା, ଖେଳାଳିଙ୍କୁ ଦେଶରେ ଅପପ୍ରଚାର କରିବା ପାଇଁ ଏକ ନୂଆ ସ୍କ୍ରିପ୍ଟ ଧରାଇ ଦେଲେ କେନ୍ଦ୍ର ସରକାର।

ଭରଦ୍ଵାଜଙ୍କ ଏହି ଟିପ୍ପଣୀ ପରେ ମାଲଭିୟ ଏହାର ଜବାବ ଦେଇଛନ୍ତି। ବିଜେପି ନେତା ଭରଦ୍ଵାଜଙ୍କ ଏକ ପୁରୁଣା ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଭରଦ୍ଵାଜ ଭାରତୀୟ ଅଧିନାୟକଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଯେ ସେ ମ୍ୟାଚରେ ହେଉଥିବା ନିଜର ସମସ୍ତ ଆୟ ଏପ୍ରିଲ ୨୨ ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଜନଙ୍କୁ ଦେଇ ଦିଅନ୍ତୁ। ଆଉ ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବ ରବିବାର ରାତିରେ ନିଜର ପୂରା ମ୍ୟାଚ୍ ଫି ସହିଦଙ୍କ ପରିବାର ଓ ସଶସ୍ତ୍ର ବଳକୁ ଦାନ କରିବାକୁ ଘୋଷଣା କରିଛନ୍ତି।