LIVE TV

ଯୁବକଙ୍କୁ ଅପହରଣ କରି ମାଗିଥିଲେ ୩୦ଲକ୍ଷ ଟଙ୍କା, ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
Puri SP

ପୁରୀ ୧୦: କୋଣାର୍କ ପେଟ୍ରୋଲ ପମ୍ପ ନିକଟରୁ ଅପହରଣ ହୋଇଥିବା ଆସାମର ଜୟ ଚକ୍ରବର୍ତ୍ତୀଙ୍କୁ ଜଗତସିଂହପୁରରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ । ଘଟଣାରେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଚଞ୍ଚଳ ଜାନା ସହିତ ଚାରି ଜଣଙ୍କୁ ବାନ୍ଧିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ସୁଲତାନ ଅହମ୍ମଦ, ଏସ୍,କେ ବାକି ବୁଲା ଏବଂ ଜଗତସିଂହପୁରର‌ ନିର୍ଭୟ ମହାର୍ଥା। ପୋଲିସ ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ ଫୋନ୍ ସହିତ ଏକ କାର୍ ଜବତ କରିଛି। ପୁରୀ ଏସପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଗତ ୧୪ ତାରିଖରେ କୋଣାର୍କ ବନଖଣ୍ଡି ପେଟ୍ରୋଲ ପମ୍ପ ନିକଟରେ ବନ୍ଧୁକ ଦେଖାଇ କିଛି ଅଜଣା ବ୍ୟକ୍ତି ଜୟ ଚକ୍ରବର୍ତ୍ତୀଙ୍କୁ ଅପହରଣ କରି ନେଇଥିଲେ। ଏନେଇ ତାଙ୍କ ବନ୍ଧୁ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। ପୁରୀ ଏସପି ଏହି ଘଟଣାକୁ ଗୁରୁତର ସହ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ପୋଲିସର ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଜୟ ଚକ୍ରବର୍ତ୍ତୀଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସକ୍ଷମ ହୋଇଥିଲେ।

ଅନଲାଇନ ଗେମ୍ ଆପ୍ ରେ ଟଙ୍କା ନେଣଦେଣକୁ ନେଇ ସୃଷ୍ଟି ହୋଇଥିଲା ଶତ୍ରୁତା। ଏହାପରେ ଜୟା ଚକ୍ରବର୍ତ୍ତୀଙ୍କୁ ଅପହରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ। ଜୟା ଚକ୍ରବର୍ତ୍ତୀ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଗତ ୧୪ ତାରିଖ ସନ୍ଧ୍ୟା ସମୟରେ ତାଙ୍କୁ କିଛି ଅଜଣା ବ୍ୟକ୍ତି ଅପହରଣ କରି ନେଇଥିବା କୋଣାର୍କ ଥାନାରେ ତାଙ୍କ ବନ୍ଧୁ ଅଭିଯୋଗ କରିଥିଲେ। ପରେ ଅପହରଣକାରୀ ମାନେ ଜୟା ଚକ୍ରବର୍ତ୍ତୀଙ୍କ ବନ୍ଧୁଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ଦାବି କରିବା ସହ ଚଞ୍ଚଳ ଜାନା ଆକାଉଣ୍ଟକୁ ତୁରନ୍ତ ଟଙ୍କା ପଠାଇବା ପାଇଁ ଧମକ ଦେଇଥିଲେ। ଟଙ୍କା ନଦେଲେ ଜୟଙ୍କୁ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ। ଏକ ଡଙ୍ଗା ସାହାଯ୍ୟରେ ଜୟଙ୍କୁ ଦୁର୍ବୁତ୍ତମାନେ ସମୁଦ୍ର ଭିତରକୁ ନେବା ପାଇଁ ଉଦ୍ୟମ କରିଥିଲେ। ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ତୁରନ୍ତ ପାରାଦୀପକୁ ଯାଇ ସେଠାରୁ ଜୟ ଚକ୍ରବର୍ତ୍ତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।