ନୂଆଦିଲ୍ଲୀ : ଜ୍ବର ଆସିଲେ ସଙ୍ଗେସଙ୍ଗେ ମନକୁ ଆସେ ପରାସିଟାମଲ ଔଷଧ କଥା । ଏହା ପ୍ରତି ଘରେ ଘରେ ରହିଥାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସ ଅନୁଯାୟୀ ପାରାସିଟାମଲର ମାତ୍ରା ଦିଆଯାଏ। କିନ୍ତୁ ନିକଟରେ ଅନୁସନ୍ଧାନରୁ ଜଣାପଡିଛି ଯେ ପାରାସିଟାମଲ ଖାଇବା କ୍ଷତିକାରକ । ଟାଇଲେନଲ୍  ଯାହା ପାରାସିଟାମଲ୍ ନାଁରେ ଜଣାଶୁଣା। ଏହା ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ଔଷଧ ମଧ୍ୟରୁ ଗୋଟିଏ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସୋମବାର ଦିନ ଏହାର ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି।  ରିପୋର୍ଟ ଅନୁଯାୟୀ, ଗର୍ଭବତୀମାନଙ୍କ ଦ୍ୱାରା ଏହି ଔଷଧ ବ୍ୟବହାର ପିଲାମାନଙ୍କ ମଧ୍ୟରେ ଅଟିଜିମ ବିପଦକୁ ବୃଦ୍ଧି କରିପାରେ। ଏହାସହ  ଆମେରିକା ସରକାର ଏକ "ଚମତ୍କାର ଔଷଧ" ବିଷୟରେ ସୂଚନା ପ୍ରକାଶ କରିବେ ବୋଲି ମଧ୍ୟ ଆଶା କରାଯାଉଛି ଯାହା ଅଟିଜିମକୁ ଭଲ କରିପାରେ।

ଫେଡେରାଲ୍ ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ଗର୍ଭାବସ୍ଥାର ପ୍ରାରମ୍ଭିକ ପର୍ଯ୍ୟାୟରେ ଟାଇଲେନୋଲ୍ ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଇଛନ୍ତି। ଏହା ଆନ୍ତର୍ଜାତୀୟ ସ୍ତରରେ ପାରାସିଟାମଲ୍ ଭାବରେ ଜଣାଶୁଣା।  ଅଧ୍ୟୟନରୁ ଜଣା ପଡ଼ିଛି ପିଲାମାନଙ୍କ ମଧ୍ୟରେ ଅଟିଜିମ୍ ସ୍ପେକ୍ଟ୍ରମ୍ ଏହି କାରଣକୁ ଦର୍ଶାଏ।  ଯଦିଓ ପାରାସିଟାମଲ୍‌ରେ ବ୍ୟବହୃତ ଆସିଟାମିନୋଫେନ୍, ଦୀର୍ଘ ସମୟ ଧରି ଗର୍ଭବତୀ ମହିଳାମାନଙ୍କ ପାଇଁ ସୁରକ୍ଷିତ ବୋଲି ବିବେଚିତ ହୋଇଆସୁଛି।   ରବିବାର ଦିନ MAGA କର୍ମୀ ଚାର୍ଲି କିର୍କଙ୍କ ସ୍ମୃତି ସଭାରେ ଭାଷଣ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଥିଲେ। କହିଥିଲେ, "ଆସନ୍ତାକାଲି ଆମେ ଆମ ଦେଶର ଇତିହାସରେ ସବୁଠାରୁ ବଡ଼ ଘୋଷଣା କରିବାକୁ ଯାଉଛୁ... "ମୁଁ ଭାବୁଛି ଆପଣ ଏହାକୁ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରହଣ କରିପାରନ୍ତି । କିନ୍ତୁ ଆମେ ଅଟିଜିମ୍ ର ସମାଧାନ ପାଇଛୁ ବୋଲି ମୁଁ ହୃଦୟଙ୍ଗମ କରୁଛି ।"

ୱାଶିଂଟନ ପୋଷ୍ଟ ଅନୁଯାୟୀ, ଆମେରିକୀୟ ଅବଷ୍ଟେଟ୍ରିସିଆନ୍ସ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସମେତ ପ୍ରମୁଖ ଚିକିତ୍ସା ସଂଗଠନଗୁଡ଼ିକ ବାରମ୍ବାର କହିଛନ୍ତି ଯେ ଆସିଟାମିନୋଫେନକୁ ଅଟିଜିମ୍ କିମ୍ବା ବିକାଶମୂଳକ ସମସ୍ୟା ସହିତ ଯୋଡ଼ିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। ଗତ ବର୍ଷ ପ୍ରକାଶିତ ଦୁଇ ନିୟୁତରୁ ଅଧିକ ପିଲାଙ୍କ ଉପରେ ଏକ ବଡ଼ ଅଧ୍ୟୟନ ବି ସମାନ ସିଦ୍ଧାନ୍ତ ବାହାର କରିଥିଲା।

ଅଟିଜିମ୍ କ'ଣ ?

ଅଟିଜମ୍‌ ହେଉଛି ଏକ ସ୍ନାୟୁ ବିକାଶଜନିତ ବିଭ୍ରାଟ। ଏଥିରେ ଆକ୍ରାନ୍ତ ହେଲେ ସମ୍ପୃକ୍ତ ଶିଶୁର ବ୍ୟବହାରରେ ଶିଥିଳତା ଦେଖିବାକୁ ମିଳେ ।  ସେ ଗୋଟିଏ ପ୍ରକାର ବ୍ୟବହାର ବାରମ୍ବାର କରିଥାଏ। ଶିଶୁଟିକୁ  ବର୍ଷେ ହୋଇଥିଲେ ମଧ୍ୟ ତା’ ନାଁ ଧରି ଡାକିଲେ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥାଏ। ଏପରି କି ଯେତେବେଳେ ତାହାର ବୟସ ୧୮ ମାସ ବା ଦେଢ଼ ବର୍ଷ ହୁଏ, ସେତେବେଳେ ସେ ସ୍ପଷ୍ଟ ଭାବରେ କଥା କହିପାରେନା। ସେ ପ୍ରାୟ ଏକ ପ୍ରକାର ଖେଳ ଖେଳିଥାଏ। ସାଙ୍ଗମାନଙ୍କ ସହ କମ୍‌ ଖେଳାଖେଳି କରେ। ତାହାର ଚାଲିଚଳନରେ ଭିନ୍ନତା ପରିଲକ୍ଷିତ ହୁଏ।  ଏଭଳି ସମସ୍ୟାରେ ଆକ୍ରାନ୍ତ ଶିଶୁକୁ ଉତ୍ତମ ବ୍ୟବହାର ତଥା ଆଦର କରିବା ଆବଶ୍ୟକ ପଡ଼ିଥାଏ ।