LIVE TV

IMFରୁ ଋଣ ନେଇ ହରଡ଼ ଘଣାରେ ପାକିସ୍ତାନ, ଧରାପଡିଲା ୧୧ ବିଲିୟନ ଡଲାରର ଆର୍ଥିକ ହେରଫେର

NEWS7
gfx

ନୂଆଦିଲ୍ଲୀ ୧୧।୧୦: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ବିଶ୍ୱବ୍ୟାଙ୍କରୁ ଋଣ ନେଇ ଘିଅ ପିଉଥିବା ପାକିସ୍ତାନ ଏବେ ଏପରି ଆର୍ଥିକ ଦୁଶ୍ଚକ୍ରରେ ଫଶି ଯାଇଛିଯେ ଏଥିରୁ ଅନେକ ସମୟ ପର୍ଯ୍ୟନ୍ତ ମୁକୁଳି ପାରିବନି। ଆଇଏମଏଫ ତାଙ୍କ ଫଣ୍ଡିଂର ଉଚିତ ଉପଯୋଗ ସମ୍ପର୍କିତ ସମୀକ୍ଷାରେ ଏପରି ଅନେକ ତ୍ରୁଟି ଧରିଛନ୍ତି ଯାହାର ଏବେ ପାକିସ୍ତାନ ଜବାବ ଦେଇ ପାରୁନି। ଆଇଏମଏଫ ପାକିସ୍ତାନକୁ ୧୧ ବିଲିୟନ ଡଲାରର ହିସାବ ମାଗିଛନ୍ତି।

ଏହା ଛଡା ଆଇଏମଏଫ ପାକିସ୍ତାନର ସୁଧାର ଗତିବିଦ୍ଧିରେ ଧିମା ପ୍ରଗତି ଓ ପାରଦର୍ଶିତା ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ପାକିସ୍ତାନ ରେଭିନ୍ୟୁ ଅଟୋମେସନ ଲିମିଟେଡ (ପିଆରଏଏଲ) ଦ୍ୱାରା ୨୦୨୩-୨୪ ଆର୍ଥିକ ବର୍ଷରେ ସୂଚିତ କରିଥିବା ଆମଦାନୀ ତଥ୍ୟ ରେ ପାକିସ୍ତାନ ସିଙ୍ଗଲୱିଣ୍ଡୋ ତଥ୍ୟରୁ ୫.୧ ବିଲିୟନ ଡଲାର କମ ଥିବା ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅନ୍ତର ବଢି ୫.୭ ବିଲିୟନ ଡଲାର ହୋଇଯାଇଥିବା ଜଣାପଡିଛି।

ପାକିସ୍ତାନ ତଥ୍ୟର ବିଶ୍ୱସନୀୟତା ନେଇ ଏବେ ଆଇଏମଏଫର ଚିନ୍ତା ବଢି ଯାଇଛି। ଯେଉଁଥି ପାଇଁ ଆଇଏମଏଫ ନିବେଶକଙ୍କ ବିଶ୍ୱାସ ହାସଲ କରିବା ନିମନ୍ତେ ସଂଶୋଧନ ଉପାୟ ଓ ଏକ ସ୍ପଷ୍ଟ ସଞ୍ଚାର ରଣନୀତି ଦାବି କରିଛନ୍ତି। ରିପୋର୍ଟ ଅନୁସାରେ ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ଏହି ଆଶଙ୍କାରେ ତଥ୍ୟ ସଂଶୋଧନ କରିବାକୁ ସଂକୋଚ କରୁଛି ଯେ ଏଥିରେ ବିକାଶ ଓ ରପ୍ତାନୀ ସଂଖ୍ୟା ଉପରେ ଓଲଟା ପ୍ରଭାବ ଯେପରି ଦେଖିବାକୁ ନ ମିଳେ। ତେବେ ଆଇଏମଏଫ ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।

ଏହାର ପରିଣାମ ହେଉଛି ପାକିସ୍ତାନ ଉପରେ ବାଲାନ୍ସ ଅଫ ପେମେଣ୍ଟସ ସଂକଟ ଦୀର୍ଘକାଳୀକ ହୋଇଯାଇଛି ଓ ଏହି ଦେଶ ଆଇଏମଏଫ ଉପରେ ନିର୍ଭରଶୀଳ ହୋଇପଡିଛି। ପାକିସ୍ତାନ ଉପରେ ପୂର୍ବରୁ ଆଇଏମଏଫଙ୍କ ୭ ବିଲିୟନ ଡଲାରରୁ ଅଧିକ ଋଣ ବାକି ରହିଛି। ତେବେ ରିପୋର୍ଟ କରାଯାଇଛି ବିଦେଶୀ ଋଣ ଜିଡିପି ୩୫.୧% ସହ ସମାନ ରହିଛି। ରିପୋର୍ଟ ଅନୁସାରେ ପାକିସ୍ତାନର ରପ୍ତାନୀ ଜିଡିପିର ୮% ଏଥିରେ ଆମଦାନୀ ୨୨%ରୁ ଅଧିକ ହେଉଛି। ଏଣୁ ପାକିସ୍ତାନର ବିଦେଶୀ ମୁଦ୍ରା ଘାଟା ଢେର ବଢି ଯାଇଛି। ଏଣୁ ଏହାକୁ ସମ୍ଭାଳିବା ପାଇଁ ପୁଣି ଋଣ କରାଯାଉଛି। ଏଇଭଳି ପାକିସ୍ତାନ ଋଣ ଦୁଶ୍ଚକ୍ରରେ ଫଶିଯାଇଛି।

ରିପୋର୍ଟ ଅନୁସାରେ ପାକିସ୍ତାନର ମୋଟ ବିଦେଶୀ ଋଣ ୨୦୨୫ ମସିହା  ଦ୍ୱିତୀୟ ତ୍ରୈମାସିକ ସୁଦ୍ଧା ୧୩୫ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ପାକିସ୍ତାନ ଉପରେ ପୂର୍ବରୁ ଚୀନର ପାଖାପାଖି ୩୦ ବିଲିୟନ ଡଲାର ଋଣ ରହିଛି। ତେବେ ୨୦୨୫-୨୬ ବଜେଟ୍ ରେ ପାକିସ୍ତାନ ପ୍ରତିରକ୍ଷା ବାବଦ ବ୍ୟୟ ୨୦% ବୃଦ୍ଧି କରିବା ଓ ଗତ ୬ ମସାରେ ୨ରୁ ୨.୫ ବିଲିୟନ ଡଲାରର ଅସ୍ପଷ୍ଟ ଖର୍ଚ୍ଚ କରିବା ଏବେ ଆଇଏମଏଫଙ୍କ ପାଇଁ ଗୁରୁତର ଚିନ୍ତାର କାରଣ ପାଲଟିଛି।