LIVE TV

ଦଣ୍ଡନାଚ ନାଁରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍, ଆସିବ ଏସ୍ଓପି

NEWS7
Ganjam

ଛତ୍ରପୁର ୮।୧୦: ଦଣ୍ଡନାଚ ଗଞ୍ଜାମ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । କିନ୍ତୁ ଏବେ ସାମାଜିକ ନାଟକ ଓ ମେଲୋଡି ଡ୍ୟାନ୍ସ ଆଦି ପାଇଁ ଅଶ୍ଳୀଳତା ବୃଦ୍ଧି ହେତୁ ଏହାର ପରମ୍ପରା ଓ ଐତିହ୍ୟ ଦିନକୁ ଦିନ ନଷ୍ଟ ହେବାକୁ ଗଲାଣି । କିଛି ସ୍ଥାନରେ ଦଣ୍ଡନାଚକୁ ବ୍ୟବସାୟିକ ଭାବେ ନେଇସାରିଲାଣି । ଆଗାମୀ ଦିନରେ ଗଞ୍ଜାମରେ ଦଣ୍ଡନାଚ ବାହାରିବ ସେନେଇ ପରମ୍ପରା, ସଂସ୍କୃତି, ପୂର୍ବ ଗୌରବ ଫେରାଇ ଆଣିବା ସହ ଏହାର ପରମ୍ପରା ଯେପରି ନଷ୍ଟ ହେବନି ଏବଂ ଅଶ୍ଳୀଳତା ହେବ ନାହିଁ ସେନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ଦଣ୍ଡନାଚ ଅଭିଜ୍ଞ ବ୍ୟକ୍ତି ମାନେ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ ।

ଦିନକୁ ଦିନ ଦଣ୍ଡନାଚରେ ଅଶ୍ଳୀଳତା ବୃଦ୍ଧି ପାଉଛି ଯାହାଫଳରେ ସୋସିଆଲ ମିଡିଆରେ ଏହା ଘୁରି ବୁଲୁଛି ।  ସାମାଜିକ ନାଟକ ପରିବେଷଣ କରି ସେଥିରେ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ବେଳେ କିଏ ଧୂଳିଦଣ୍ଡରେ କିନ୍ନରମାନଙ୍କୁ ଆଣି ଅସାମାଜିକ ଭାଷା ପ୍ରୟୋଗ କରୁଛନ୍ତି ଯାହା ଫଳରେ ଦଣ୍ଡନାଚ ମହତ୍ତ୍ବ ଓ ପରମ୍ପରା ଦିନକୁ ଦିନ ନଷ୍ଟ ହେଉଛି ।

ଆଗାମୀ ଦିନରେ ଦଣ୍ଡନାଚକୁ ନେଇ ଏସଓପି ଜାରି କରାଯିବା ନେଇ ସ୍ଥିର ହୋଇଥିଲା । ଖୁବ୍‌ଶ୍ରୀଘ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରରେ ଏକ ଡ୍ରାଫ୍ଟ ଏସଓପି କରାଯିବା ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ଏକ ଡ୍ରାଫ୍ଟ ଏସଓପି କରିବେ । ଏହି ଡ୍ରାଫ୍ଟ ଏସଓପି ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ । ଏହି ଏସଓପିର ସମସ୍ତ ନିୟମ ସମସ୍ତେ ମାନିବେ । ଏସଓପିରେ ଯେଉଁ ସବୁ ଗାଇଡ ଲାଇନ ଆସିବ ଯେଉଁମାନେ ଦଣ୍ଡନାଚ ପରିବେଷଣ କରୁଛନ୍ତି ସେମାନେ ଅନୁମତି ନେବା ବେଳେ ଏହି ସବୁ ନିୟମ ମାନିଲେ ସେମାନଙ୍କୁ ଅନୁମତି ମିଳିବ ନଚେତ ମିଳିବ ନାହିଁ । ଅନୁମତି ନେବାବେଳେ ସେମାନେ ଲିଖିତ ଭାବେ ଜଣାଇବେ ଓ ପ୍ରଶାସନର ସମସ୍ତ ନିୟମ ମାନିବୁ ।

ଗଞ୍ଜାମ ଜିଲ୍ଲା ହେଉଛି କଳା ଓ ସଂସ୍କୃତିର ଜିଲ୍ଲା, ଏହାର ପୂର୍ବ ଗୌରବ ଫେରାଇ ଆଣିବାକୁ ପଡିବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଜିଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ ପାଢୀ, ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ ମହସଂଘର ସଭାପତି ଶିବରାମ ପ୍ରଧାନ, ଜଗଦୀଶ ପାଣିଗ୍ରାହୀ, ଶିବରାମ ପ୍ରଧାନ, କୃଷଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲାର ଦଣ୍ଡନାଚ ମହସଂଘର ସଦସ୍ୟ ଓ ଦଣ୍ଡନାଚର ଅଭଜ୍ଞ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।