ନୂଆପଡ଼ା: ଉପନିର୍ବାଚନ ପାଇଁ ନୂଆପଡ଼ା ମାହୋଲ ସରଗରମ ରହିଛି । ଭୋଟ ତାରିଖ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ଓ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ବିଜେଡି ନେତା ତଥା କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ରେଡ୍ ହୋଇଛି । ନୂଆପଡ଼ା ଖରିଆର୍ ରୋଡରେ ଥିବା ତାଙ୍କ ଅସ୍ଥାୟୀ ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଚଢଉ ହୋଇଛି । ଉପ ନିର୍ବାଚନରେ ସମୟରେ ବେଆଇନ ଟଙ୍କା ରଖିଥିବା ଅଭିଯୋଗରେ ଏହି ଚଢଉ ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼େଇ ।

ତେବେ ଏହି ଚଢଉ ସମୟରେ ପ୍ରୀତିରଞ୍ଜନଙ୍କ ଘରର କେୟାରଟେକର ଓ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ମାଜିଷ୍ଟ୍ରେଟ୍ ରେଡ୍ ପାଇଁ ଆସିଥିବା କେୟାରଟେକର ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାକୁ ବେଆଇନ ବୋଲି ବିଜେଡି କହିଛି । ଭୟଭୀତ ହୋଇ ସରକାର ଏଜେନ୍ସି ଲଗାଇ ଏପରି କରୁଥିବା ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ କହିଛନ୍ତି । ଏହାସହ ଏପରେ କଲେ ବିଜୁ ଜନତା ଦଳ ଚୁପ୍ ହୋଇ ରହିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

​​​​​​​

ଉଲ୍ଲେଖଯୋଗ୍ୟ ଯେ ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ହେବ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ରହିଛନ୍ତି । ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ମଧ୍ୟ କାଏମ ରହିଛି ।

ଏଥର ମୋଟ ୧ ଲକ୍ଷ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ ୨୬ ହଜାର ୧୩୨ ମହିଳା ଭୋଟର ଦେବେ । ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି । ବୁଥରେ ମୋବାଇଲ ରଖି ଭୋଟ ଦେବେ ଭୋଟର। ଆଉ ବୁଥ ଭିତରକୁ ମୋବାଇଲ ନେଇ ପାରିବେନି ଏଜେଣ୍ଟ। ରିଅଲ ଟାଇମ୍ ସିଷ୍ଟମ ରେ ୱେବ୍ କ୍ୟାଷ୍ଟିଂ କରାଯିବ। ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବ। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ।