News7 Logo

ବୟସ୍କ ନୁହନ୍ତି, ଜେନ୍-ଜି ସବୁଠୁ ଅଧିକ ଦୁଃଖୀ; ଅଧ୍ୟୟନ ରିପୋର୍ଟରେ ବଡ଼ ଦାବି

NEWS7
phone

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଜୀବନର ମଧ୍ୟ ଭାଗରେ ସବୁଠୁ ଅଧିକ ଦୁଃଖୀ ରହିଥାଏ ବୋଲି ଦଶନ୍ଧି ଧରି ଗବେଷକମାନେ ଦାବି କରି ଆସୁଥିଲେ । ଲୋକମାନେ ସକାରାତ୍ମକ ଭାବରେ ଯୁବାବସ୍ଥା ଆରମ୍ଭ କରୁଥିଲେ, ୫୦ ବର୍ଷ ବୟସରେ ହତାଶାରେ ବୁଡ଼ି ରହୁଥିଲେ ଏବଂ ଅବସର ସମୟରେ ପୁଣିଥରେ ଖୁସି ଅନୁଭବ କରୁଥିଲେ । କିନ୍ତୁ ଏକ ନୂତନ ଅଧ୍ୟୟନ ଅନୁସାରେ ଏହି ଧାରା ଏବେ ବଦଳି ଯାଇଛି ।

ଆମେରିକା ଏବଂ ବ୍ରିଟେନ ସମେତ ୪୪ଟି ଦେଶରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଆଜି ସମୟରେ ଜେନ୍-ଜି ପିଲାମାନେ ସବୁଠୁ ଅଧିକ ଦୁଃଖୀ ଅଛନ୍ତି । ୧୨ରୁ ୨୮ ବର୍ଷ ବୟସ୍କର ଆଜି ପିଲାମାନେ ପୂର୍ବ ପିଢ଼ି ତୁଳନାରେ ଅଧିକ ଚିନ୍ତାରେ ଅଛନ୍ତି । ମିଡ୍ ଏଜ୍ ଡିପ୍ ପରିବର୍ତ୍ତେ ଜେନ୍-ଜି "ସ୍କି ସ୍ଲୋପ୍"ର ସମ୍ମୁଖୀନ ହୁଅନ୍ତି । ଯେଉଁଥିକେ ଯୁବକ ଅବସ୍ଥାରେ ଦୁଃଖ ଆରମ୍ଭ ହୁଏ ଏବଂ ବୟସ ସହିତ ଧୀରେ ଧୀରେ କମିଥାଏ । ଅଧ୍ୟୟନର ସହ-ଲେଖକ ଆଲେକ୍ସ ବ୍ରାଇସନ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ଅସୁସ୍ଥତା ବୃଦ୍ଧିକୁ ଦର୍ଶାଉଛି ।

ସିଡିସି ରିପୋର୍ଟ ଅନୁସାରେ, ଯୁବକମାନଙ୍କ ମଧ୍ୟରେ ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ୧୯୯୩ରେ ୨.୫%ରୁ ୨୦୨୪ରେ ୬.୬%କୁ ବୃଦ୍ଧି ପାଇଛି । ଯୁବତୀମାନଙ୍କ ମଧ୍ୟରେ ସମାନ ଅବଧିରେ ଏହି ହାର ୩.୨%ରୁ ୯.୩%କୁ ବୃଦ୍ଧି ପାଇଛି । ୨୦୨୩ ଗଲ୍‌ଅପ୍ ସର୍ଭେରେ ଦର୍ଶାଯାଇଥିଲା ଯେ ଜେନ୍ ଜିଙ୍କ ମଧ୍ୟରୁ କେବଳ ୧୫% ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ଥିବା ଦର୍ଶାଇଥିଲେ । ଯାହା ଏକ ଦଶନ୍ଧି ପୂର୍ବ ତୁଳନାରେ ବଡ଼ ହ୍ରାସ । ମିଲେନିଆଲଙ୍କ କ୍ଷେତ୍ରରେ ଏହା ୫୨% ଥିଲା ।

ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ମିଲେନିୟଲ୍ସ ତୁଳନାରେ ଜେନ-ଜି ପିଢ଼ି ବହୁତ ଦୁଃଖୀ ଏବଂ ହତାଶ । ଏହା ପଛରେ ଅନେକ କାରଣ ଥାଇପାରେ । କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ସୋସିଆଲ ମିଡିଆ ଏବଂ ସ୍ମାର୍ଟଫୋନ୍ । ଜେନ୍-ଜିଙ୍କ ସୋସିଆଲ ମିଡିଆ ଏବଂ ସ୍ମାର୍ଟଫୋନ୍‌ର ଅତ୍ୟଧିକ ବ୍ୟବହାର ସେମାନଙ୍କ ଅସନ୍ତୁଷ୍ଟତାର କାରଣ । ଜେନ୍-ଜି ପିଢ଼ି ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଜୀବନଶୈଳୀ ଦେଖାଇବା, ସୋସିଆଲ ମିଡିଆରେ ଖୁସି ରହିବା କିନ୍ତୁ ବାସ୍ତବ ଜୀବନରେ, ଜେନ-ଜି ବହୁତ ଦୁଃଖୀ ଏବଂ ଏକାକୀ।