News7 Logo

ଆନ୍ଦୋଳନ ପାଇଁ ନେତାଙ୍କୁ ନବୀନଙ୍କ ଆହ୍ଵାନ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରିବ ବିଜେଡି

NEWS7

ଭୁବନେଶ୍ଵର: ବିଜେଡି ନେତା କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ବର ହୁଅ । ଦଳ ସଭାପତିଙ୍କ ଏଭଳି ଇସାରା ପରେ ଏବେ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ବିଜେଡି ନେତା ଓ କର୍ମୀ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଗାଁ ଗାଁରେ ପଦଯାତ୍ରା କରିବ ବିଜେଡି । ଆଉ ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବେ ବିଜେଡି ନେତା । ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ଲଢ଼େଇ କରିବ ଦଳ ।  ସେପଟେ ବିଜେଡିର ଏଭଳି ରଣନୀତିକୁ କଟାକ୍ଷ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବିଜେଡି ନିର୍ବାଚନ ଛଡ଼ା କିଛି କରେ ନାହିଁ । ୨୦୨୪ରେ ରାଜ୍ୟବାସୀ ବିଜେଡିର ଅସଲ ଚେହେରାକୁ ଚିହ୍ନି, ଉଚିତ୍ ଜବାବ୍ ଦେଇଛନ୍ତି ।

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ବର ହୁଅ । ଦଳ ସୁପ୍ରିମୋଙ୍କ ଏଭଳି ସନ୍ଦେଶ ପରେ ଏବେ ଗ୍ରାଉଣ୍ଡ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଦଳୀୟ ନେତା ଓ କର୍ମୀ । ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ କରିବ ବିଜେଡି । ଆଉ ପ୍ରତି ଗାଁରେ ଘରେ ଘରେ ସରକାରଙ୍କ ବିଫଳତାକୁ ପହଞ୍ଚାଇବେ ଦଳୀୟ ନେତା । ବିଶେଷ କରି ଆଇନ ଶୃଙ୍ଖଳା, ଚାଷୀଙ୍କ ପାଇଁ ସାର ଅଭାବ, ମହିଳା ସୁରକ୍ଷା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଆଦି ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ଲଢ଼େଇ ପାଇଁ ସମରସଜା ଆରମ୍ଭ କରିଛି ବିଜେଡି ।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ରାଜରାସ୍ତାରେ ଲଢ଼େଇ ହେବ । ସେପଟେ ବିଜେଡିର  ଏଭଳି ରଣନୀତିକୁ କଟାକ୍ଷ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ମନ୍ତ୍ରୀ କହିଛନ୍ତି ଯିଏ ଆନ୍ଦୋଳନ କରେ ସେ କଣ କହିକି କରେ । ବିଜେଡି ନିର୍ବାଚନ ଛଡ଼ା କିଛି କରେ ନାହିଁ । ତେଣୁ ୨୦୨୪ରେ ରାଜ୍ୟବାସୀ ବିଜେଡିର ଅସଲ ଚେହେରାକୁ ଚିହ୍ନି, ଉଚିତ୍ ଜାବବ୍ ଦେଇଛନ୍ତି ।

ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥାବହୁ ବିଳମ୍ବରେ  ହେଲେ ବି ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏଥି ସହ ଦଳ ଏବେ ଗ୍ରାଉଣ୍ଡରେ ଥିବା ନେତା କର୍ମୀଙ୍କ ପାଖକୁ ଯିବାକୁ ପଡିବ । କାରଣ ରାଜ୍ୟର ୩୦ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି । ହେଲେ ଦଳ ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ତୃଣମୂଳ ସ୍ତରର ନେତା ଦଳ ଠାରୁ ଦୂରେଇ ଯାଉଛନ୍ତି । ତେଣୁ ଏବେ ବିଜେଡି ସଭାପତି ଏହାକୁ ବୁଝି ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।  ରାଜ୍ୟର ୩ ପ୍ରମୁଖ ଦଳ ଏବେ ଗାଁ ମୁହାଁ ହେଉଛନ୍ତି । ଦଳବଳ ନେଇ ମଇଦାନରେ ଲଢେଇ ପାଇଁ ରଣହୁଙ୍କାର ମଧ୍ୟ ଦେଲେଣି । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ଦେଢ ବର୍ଷ ବାକି ଥିବାବେଳେ ଗ୍ରାଉଣ୍ଡରେ ଆରମ୍ଭ ହେବ  ଶକ୍ତି ପରୀକ୍ଷା ।