ଭୁବନେଶ୍ବର: ବୁଧବାର ହଜାର ହଜାର ସମର୍ଥକଙ୍କ ସହ ରୋଷଣୀ କରି କଂଗ୍ରେସରେ ମିଶିବାକୁ ଆସିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁବାବୁ। ହେଲେ ମିଶି ନପାରି ଫେରିବାକୁ ବାଧ୍ୟ ହୋଇଥିଲେ। ଯେଉଁଥିରେ ଖପ୍ପା ନାଣ୍ଡୁବାବୁ ଓଗାରିଛନ୍ତି ବିଷ। ପିସିସି ସଭାପତି ଭକ୍ତ ଦାସ ଏବଂ ତାଙ୍କ ପୁଅଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଅଭିଯୋଗ।

କିଛି ଦସନ୍ତାବିଜ ସହ ଭକ୍ତ ଦାସଙ୍କୁ ଟାର୍ଗେଟ କରିଛନ୍ତି ନାଣ୍ଡୁ। ସେ କହିଛନ୍ତି ‘‘ଭକ୍ତ ଦାସ ଓ ପୁଅ ସାଗର ଦାସଙ୍କ ନାମରେ ଅନେକ ଅପରାଧିକ ମାମଲା ଅଛି। ୨୦୧୧ରୁ ଲାଞ୍ଚ ମାଗିବା, ଧମକ ଦେବା, ହତ୍ୟା ଉଦ୍ୟମ ଭଳି ଅନେକ ସଙ୍ଗୀନ ମାମଲା ରହିଛି। ସେ କଂଗ୍ରେସରୁ ଇସ୍ତଫା ଦେଇଦେବା କଥା କାରଣ ଭକ୍ତ ବାବୁଙ୍କ ନାଁରେ ଅପରାଧିକ ମାମଲା ରହିଛି।’’

ନାଣ୍ଡୁବାବୁ କହିଛନ୍ତି ‘‘ମୋ ନାଁରେ ଚାଷୀ ଆନ୍ଦୋଳନ, ଲୋକଙ୍କ ପାଇଁ କାମ କରିବା ସମୟରେ ଗଣ୍ଡଗୋଳ ଭଳି ଛୋଟ ମାମଲା ରହିଛି। ଭକ୍ତ ବାବୁ ଯଦି ସେମିତି ଦେଖିବେ ତାହେଲେ ରାଜ୍ୟରେ କୌଣସି କଂଗ୍ରେସ ନେତା ରହିବନି, କାରଣ ସମସ୍ତଙ୍କ ନାଁରେ କିଛି କିଛି ଅପରାଧିକ ମାମଲା ଥିବ। ସେ ଜନତା ଦଳ ଲୋକ। କଂଗ୍ରେସକୁ ନଷ୍ଟ କରିଦେବା ପାଇଁ ଭକ୍ତ ଦାସ ଲାଗିଛନ୍ତି, ଓଡ଼ିଶାରେ କଂଗେସ ଭକ୍ତ ଦାସ ପାଇଁ ଆଗକୁ ଯାଇପାରୁନାହିଁ , ଅନ୍ୟ ଦଳ କଥାରେ ଚାଲିଛନ୍ତି ଭକ୍ତ ଦାସ। ମୋତେ କଂଗ୍ରେସ ଭବନକୁ ପ୍ରବେଶ କରାଇ ଦେଇ ନାହାନ୍ତି।’’

ସେ ଆହୁରି କହିଲେ ‘‘ମୁଁ ଜନ୍ତର ମନ୍ତର ଯିବି, ମୋ ସହିତ ୪ ହଜାର ଲୋକ ଯିବେ। ଟ୍ରେନ ବୁକ୍ କରାଯିବ। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବି। ମୁଁ କଂଗ୍ରେସ ଲୋକ। ମୋତେ କେହି କଂଗ୍ରେସରୁ ବାହାର କରି ପାରିବେ ନାହିଁ। ଆଗକୁ ଭକ୍ତ ଦାସଙ୍କ ବିରୋଧରେ ବହୁ ପ୍ରମାଣ ଅଛି। ତାହା ଗୋଟି ଗୋଟି କରି ଦେବି। ମୁଁ କଂଗ୍ରେସରେ ମିଶିବା ବେଳକୁ ଭକ୍ତ ଦାସ କଂଗ୍ରେସରେ ନଥିବେ।’’ ତେବେ ଏନେଇ ପିସିସି ସଭାପତିଙ୍କ ପ୍ରକ୍ରିୟା ମିଳିପାରିନାହିଁ।

​​​​​​​