ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ପ୍ରତି ପାକିସ୍ତାନର ଘୃଣାଭାବ କାହାକୁ ଅଛପା ନୁହେଁ। ବିଶେଷ କରି ପାକିସ୍ତାନୀ ସେନାର ସଂରକ୍ଷଣରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଏହି ଘୃଣାକୁ ଆହୁରି ପ୍ରୋତ୍ସାହିତ କରୁଛନ୍ତି। ଏହାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପାକିସ୍ତାନର ଆତଙ୍କବାଦୀ  ଗୋଷ୍ଠୀ ଏବେ ମହିଳାଙ୍କୁ ଆତ୍ମଘାତୀ ଆକ୍ରମଣକାରୀ ଭାବେ ପ୍ରସ୍ତୁତ କରୁଛନ୍ତି। ଏହାର ନୂଆ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଖୋଲାଖୋଲି ଘୋଷଣା କରାଯାଉଛି ଯେ, ମୋଦୀ ଓ ଭାରତ ଆମର ପ୍ରମୁଖ ଶତ୍ରୁ। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଲସ୍କର ଏ ତୋଇବା ପରି ସଂଗଠନ ମହିଳା ସଶକ୍ତୀକରଣ ନାମରେ ଆତଙ୍କୀ ମହିଳା ବ୍ରିଗେଡ ପ୍ରସ୍ତୁତ କରୁଛି। ସେମାନଙ୍କୁ କଠୋରପନ୍ଥୀ ବିଚାରଧାରାରେ ପ୍ରଭାବିତ କରାଯାଉଛି।

ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ଆତଙ୍କୀ ସଂଗଠନର ଏମିତି କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଗୁଇନ୍ଦା ଏଜେନ୍ସି ଅନୁସାରେ, ପାକିସ୍ତାନର ପୃଷ୍ଠପୋଷକରେ ବଢୁଥିବା ଆତଙ୍କୀ ଗୋଷ୍ଠୀ ଏବେ ଗୁପ୍ତ ସାମାଜିକ, ରାଜନୈତିକ ଓ ଶୈକ୍ଷିକ ମୋର୍ଚ୍ଚାରେ ମହିଳା ଓ ଯୁବ ପିଢିଙ୍କୁ ଟାର୍ଗେଟ୍ କରି ନିଜର ନେଟଓ୍ଵର୍କ ବିସ୍ତାର କରୁଛନ୍ତି। ଲିକ୍ ହୋଇଥିବା ଭିଡିଓରେ ଲସ୍କରର ନୂଆ ପାଠ୍ୟକ୍ରମ ଦେଖିବାକୁ ମିଳିଛି। ଏଥିରେ  ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ଶତ୍ରୁ ଭାବେ ଚିତ୍ରଣ କରାଯାଇଛି।

ରେକର୍ଡିଂ ଭିଡିଓରୁ ସ୍ପଷ୍ଟ ଜଣା ପଡୁଛି ଯେ, ସିୟାଲକୋଟରେ ଆତଙ୍କବାଦୀ ହାଫିଜ ଅବଦୁର ରଉଫର ନେତୃତ୍ଵରେ ଜିହାଦୀ ପ୍ରଶିକ୍ଷଣ ଶିବିର ଚାଲିଛି। ଏଥିରେ ମହିଳାଙ୍କୁ ଜିହାଦରେ ସାମିଲ ହେବା ପାଇଁ ବ୍ରେନଓ୍ଵାଶ କରାଯାଉଛି। ତେଣୁ ମହିଳାଙ୍କ ଭର୍ତ୍ତି ପାଇଁ ପ୍ରକ୍ରିୟାକୁ ଜୋରଦାର କରିଛି ଆତଙ୍କୀ ସଂଗଠନ।  ଭିଡିଓରେ ହାଫିଜ ଅବଦୁର ରଉଫ ମହିଳାଙ୍କୁ ଜିହାଦ ନାଁରେ ଲଢିବା ସେମାନଙ୍କର କର୍ତ୍ତବ୍ୟ ବୋଲି କହୁଥିବା ଦେଖିବାକୁ ମିଳିଛି।

ଆଉ ଏକ କ୍ଲିପରେ ଲସ୍କର ସହ  ଜଡ଼ିତ ଅନ୍ୟ ଜଣେ ଆତଙ୍କୀ ଇମତିୟାଜ ଅହମ୍ମଦ ମହିଳାଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ପାକିସ୍ତାନ-ଭାରତ ଯୁଦ୍ଧ କୌଣସି ସାଧାରଣ ଯୁଦ୍ଧ ନୁହେଁ, ବରଂ ଆମର ଜମାତର ଯୁଦ୍ଧ। ମରକଜ ଏ ତୈବା ମୁରିଦେକ ତୁମର କେନ୍ଦ୍ର ଥିଲା। ଏବେ ତୁମର ସବୁଠୁ ବଡ଼ ଶତ୍ରୁ ମୋଦୀ ଓ ଭାରତ। ଆମର ପ୍ରତିଟି କାମ ଜିହାଦ ପାଇଁ। ତୁମେ ଯାହା ସବୁ କରିବ ଜିହାଦ ପାଇଁ କରିବ।