News7 Logo

କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ, ୬ଦିନ ହେଲା ଥିଲେ ନିଖୋଜ

NEWS7
Basudevpur

ବାସୁଦେବପୁର ୧୮।୯: ଭଦ୍ରକ ଜିଲ୍ଲା ରାଧାନାଥପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଘର ଆଗରୁ ନିଖୋଜ ନାବାଳିକାଙ୍କ ମୃତଦେହ ନିକଟ କୋଷ୍ଟ କେନାଲରୁ ଉଦ୍ଧାର ହୋଇଛି । ବୁଧବାର ପୂର୍ବାଞ୍ଚଳ DIG ପିନାକ ମିଶ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଗୁରୁବାର ଭଦ୍ରକ ଓଡ୍ରାଫ୍ ଓ ବାସୁଦେବପୁର ଦମକଳ ବାହିନୀ ଟିମ୍ ପହଞ୍ଚି କୋଷ୍ଟ କେନାଲରେ ଖୋଜାଖୋଜି କରିଥିଲେ । ଶବକୁ ପାଣିରେ ଥିବା ଘାସ ଭିତରେ ପଡ଼ିଥିବା ପାଇଥିଲେ । ହେଲେ ମୃତ ନାବାଳିକା ପଚି ନଥିବାରୁ ଗତ ଦୁଇ ଦିନ ପୂର୍ବରୁ ହତ୍ୟା କରି କେହି ପକାଇଥିବା ସନ୍ଦେହ ହୋଇଛି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବାସୁଦେବପୁର ମ୍ୟୁନିସିପାଲଟି ରାଧାନାଥପୁର ଗାଁରେ ୮ ବର୍ଷର ଝିଅକୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଦୁଇ ଭଉଣୀ ରାସ୍ତା ପାର୍ଶ୍ୱରେ ଖେଳୁଥିବା ସମୟରେ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଭଦ୍ରକ ଏସ୍‌ପି ଦିନରାତି ଏକ କରି ବିଭିନ୍ନ ସ୍ଥାନରେ ଖୋଳତାଡ଼ ଚଳାଇଥିବା ବେଳେ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି  ବିଭିନ୍ନ ନମୁନା ସଂଗ୍ରହ କରି ଫେରିଥିଲେ । ଭଦ୍ରକ ଏସ୍‌ପି, ଏଡିଏସ୍‌ପି, ସିଡିପିଓଙ୍କ ସମେତ ବାସୁଦେବପୁର, ଚୂଡ଼ାମଣି, ନାୟକାଣିଡ଼ିହି ଥାନାଧିକାରିଣୀ ବିଭିନ୍ନ ସିସିଟିଭି କ୍ୟାମେରା ସହିତ ସନ୍ଦେହ ହେଉଥିବା ଲୋକଙ୍କୁ ପଚରାଉଚରା ଚଳାଇଛି । ଗତ ମଙ୍ଗଳବାର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ଦମକଳ ବାହିନୀ ଅପହୃତାଙ୍କ ଘର ପାଖ ପୋଖରୀ ସମେତ ନିକଟ କୋଷ୍ଟ କେନାଲରେ ପଶି ଖୋଜାଖୋଜି କରି ନିରାଶ ହୋଇଥିଲା । 

ବୁଧବାର ଖୋଦ୍ ପୂର୍ବାଂଚଳ DIG ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ।  ପିନାକ ମିଶ୍ରଙ୍କ ସମେତ ଭଦ୍ରକ ଏସ୍‌ପି ମନୋଜ ରାଉତ, ଏସ୍‌ଡିପିଓ ବିଚିତ୍ରା ନନ୍ଦ ସେଠୀ ଓ ଚୂଡ଼ାମଣି, ବାସୁଦେବପୁର, ନାୟକାଣିଡ଼ିହି ଥାନାର ପୋଲିସ ପହଞ୍ଚିଥିଲେ । ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ମଧ୍ୟ କରିଥିଲେ । ଖୁବ୍‌ଶୀଘ୍ର ଅପହୃତା ଉଦ୍ଧାର ହୋଇଯିବ ବୋଲି DIG କହିଥିଲେ । ତେବେ ଗୁରୁବାର ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି