News7 Logo

ସୋନପୁରରୁ ଅପହୃତ ପୁରୀରୁ ଉଦ୍ଧାର, ନାବାଳକର ମୁଣ୍ଡ ଜାମିନ ରଖିଥିଲେ ଦୁର୍ବୃତ୍ତ

NEWS7
Puri News

ପୁରୀ ୯୯: ଅପହୃତ ନାବାଳକ ପୁରୀରୁ ଉଦ୍ଧାର ପରେ ଘଟଣାର ପ୍ରକୃତ କାରଣ ଧିରେ ଧିରେ ସାମ୍ନାକୁ ଆସୁଛି । ୨୦ ଲକ୍ଷ ଟଙ୍କା ଦାବି ନେଇ ନାବାଳକର ମୁଣ୍ଡ ଜାମିନ ରଖିଥିଲେ ଦୁର୍ବୃତ୍ତ । ତିନି ଜଣ ଦୁର୍ବୃତ୍ତ ସୋନପୁରରୁ ନାବାଳକକୁ ଗତ ରବିବାର ଏକ କାର୍ ମାଧ୍ୟମରେ ଅପହରଣ କରି ପୁରୀ ଆସିଥିଲେ । ପୁରୀ ନରେନ୍ଦ୍ର କୋଣରେ ଥିବା ଏକ ଲଜ୍‌ରେ ଦୁର୍ବୃତ୍ତ ମାନେ ସୋମବାର ରାତି ୮ଟାରେ ପହଞ୍ଚିଥିଲେ ।

ଏନେଇ ନାବାଳକଙ୍କ ପରିବାର ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ପୁରୀ ପୋଲିସର ସହଯୋଗ ନେଇଥିଲା ସୋନପୁର ପୋଲିସ । ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଦୁର୍ବୃତ୍ତ ମାନେ ନାବାଳକକୁ ନରେନ୍ଦ୍ର କୋଣରେ ଥିବା ଏକ ଲଜ୍‌ରେ ରଖିଥିବା ନେଇ ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ସୋମବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଲଜ୍‌ରେ ପୋଲିସ ଚଢ଼ାଉ କରି ନାବାଳକକୁ ଉଦ୍ଧାର କରିଥିଲେ ମଧ୍ୟ ଦୁର୍ବୃତ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ ନାବାଳକକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ରଖିଥିଲା । ଦୁର୍ବୃତ୍ତ ମାନେ ବ୍ୟବହାର କରିଥିବା କାର୍‌କୁ ପୋଲିସ ଜବତ କରିଛି । ପୁରୀ ପୋଲିସ ନାବାଳକକୁ ସୋନପୁର ପୋଲିସକୁ ହସ୍ତାନ୍ତର କରିଛି । ତେବେ ନାବାଳକ ବାପାଙ୍କର ଏକ ଭେରାଇଟି ଷ୍ଟୋର ସୋନପୁରରେ ରହିଛି । ଅପହରଣକାରୀ ମାନେ ଦୋକାନ ପାଖ ଅଞ୍ଚଳର ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଚିହ୍ନଟ କରିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ପୋଲିସ ଧରିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।