LIVE TV

ଆମେରିକାର ମିସିସିପିରେ ସ୍କୁଲରେ ଅଖିବୁଜା ଗୁଳିମାଡ଼, ୪ ମୃତ, ୧୨ ଆହତ

NEWS7
USA

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ବନ୍ଧୁକ ଗୁଳିରେ ନୀରିହଙ୍କ ଜୀବନ ଯାଇଛି । ଏକ ହାଇସ୍କୁଲରେ ଆଖିବୁଜା ଗୁଳିମାଡ଼ ଘଟଣା ସାମନାକୁ ଆସିଛି । ଏହି ଗୁଳିମାଡ଼ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଗୁରୁତର ୪ ଜଣଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ମେୟର ଜନ୍ ଲି କହିଛନ୍ତି ଯେ ତଦନ୍ତ ଜାରି କରିଛି ଓ ଘଟଣା ପଛର କାରଣ ଖୋଜାଯାଉଛି ।

ସିବିଏସ୍ ରିପୋର୍ଟ ଅନୁସାରେ ଜନ୍ ଲି କହିଛନ୍ତି ଯେ ଗୁଳିକାଣ୍ଡ ମଧ୍ୟରାତ୍ରିରେ ହୋଇଛି । ମିସିସିପିର ସିନେଟର ଡେରିକ୍ ସିମନ୍ସ କହିଛନ୍ତି ଯେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ଏକ ଡଜନରୁ ଅଧିକ ଲୋକଙ୍କ ଆହତ ହୋଇଛନ୍ତି । ସିମନ୍ସଙ୍କ କହିବା ଅନୁସାରେ ଏହି ଗୁଳିକାଣ୍ଡରେ ମୋଟ ୨୦ ଜଣଙ୍କୁ ବୁଲେଟ୍ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ କି କୌଣସି ସନ୍ଦିଗ୍ଧର ସୂଚନା ମିଳି ପାରିନାହିଁ ।  

ମିସିସିପି ପୋଲିସ ବିଭାଗ (ଏମଡିପିଏସ) ମୁଖପାତ୍ର ବେଲି ମାର୍ଟିନ କହିଛନ୍ତି ଯେ ମିସିସିପି ତଦନ୍ତ ବ୍ୟୁରୋ (ଏମବିଆଇ) ଲେଲାଣ୍ଡ ପୋଲିସ ତଦନ୍ତରେ ସହାୟତା କରିବ । ୱାଶିଂଟନ କାଉଣ୍ଟିର ୪,୦୦୦ ଜନସଂଖ୍ୟା ବିଶିଷ୍ଟ ମିସିସିପିର ଲେଲାଣ୍ଡ ନାମକ ଛୋଟ ସହରରେ ଏହି ଗୁଳିକାଣ୍ଡ ଘଟିଛି ।