ପୁରୀ ୩୦।୯: ରଙ୍ଗ ମିସ୍ତ୍ରୀଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ପୁରୀ କାଠପୋଲ ନିକଟରେ ଘଟିଛି ଏଭଳି ଘଟଣା। ଆକ୍ରମଣର ଶିକାର ହୋଇଥିବା ରଙ୍ଗ ମିସ୍ତ୍ରୀ ଜଣକ ହେଉଛନ୍ତି ଚନ୍ଦନପୁର ଥାନା ତଳଜଙ୍ଗ ଗ୍ରାମର ଦିଲ୍ଲୀପ ପ୍ରଧାନ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦିଲ୍ଲୀପଙ୍କ ମୁଣ୍ଡ, କାନରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ଫେରାର ଥିବାବେଳେ ଘଟଣାକୁ ନେଇ ଚନ୍ଦନପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି।

ତେବେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀପ କାଠପୋଲ ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗ୍ରାମର ୫ ଜଣ ଯୁବକ ତାଙ୍କୁ ଖଣ୍ଡା ଓ ଇଟାରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ ଦିଲ୍ଲୀପଙ୍କ ସୁନା ଚେନ୍, ମୁଦି ଏବଂ ବ୍ରେସଲେଟ୍ ଛଡାଇ ନେଇଛନ୍ତି ।

ସେପଟେ ଅଭିଯୁକ୍ତ ମାନେ ଗାଁରେ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ପାର୍ବଣ ସମୟରେ ପୁରୀରେ ଦୁର୍ବୃତ୍ତ ମାନଙ୍କ ଏଭଳି ଆକ୍ରମଣ ଘଟଣା ପୁରୀ ପୋଲିସର ଅପରେସନ ଚକ୍ରକୁ ଚ୍ୟାଲେଞ୍ଜ କରିଛି। ତୁରନ୍ତ ପୁରୀ ଏସ୍‌ପି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।