News7 Logo

ପାକିସ୍ତାନ କ୍ୱେଟାରେ BNP ରାଲିରେ ବଡ ବିସ୍ଫୋରଣ; ଚାଲିଗଲା ୧୪ ଜୀବନ, ଅନେକ ଆହତ

NEWS7
pakistan

ନୂଆଦିଲ୍ଲୀ ୦୩।୦୮; ପାକିସ୍ତାନ ଏବେ ବନ୍ୟାର ସମ୍ମୁଖୀନ ହେଉଛି। ମଙ୍ଗଳବାର କ୍ୱେଟାରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP)ର ରାଲିରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୩୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଶାହୱାନି ଷ୍ଟାଡିୟମ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମାପ୍ତ ହେବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା। ଏନେଇ ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୃତ ଏବଂ ଆହତଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ BNP ନେତା ଅଖତର ମେଙ୍ଗଲ ଏବଂ ତାଙ୍କ ଗାଡି ଉପରକୁ ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ​​। ଜରୁରୀକାଳୀନ ସେବା ସାହାଯ୍ୟରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। କୁହାଯାଉଛି କି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଅଛି।

BNP ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଅଖତର ମେଙ୍ଗଲଙ୍କ କାଫିଲା ଘଟଣାସ୍ଥଳ ଅତିକ୍ରମ କରିବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିବା । ଯେଉଁଥିରେ ୧୪ ଜଣ ଦଳୀୟ ସଦସ୍ୟଙ୍କ ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଏବେ ବିସ୍ଫୋରଣର ତଦନ୍ତ କରୁଛନ୍ତି। ଅଖତର ମେଙ୍ଗଲ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ଆଲ୍ଲାହୁ ଆକବର, ମୁଁ ସୁରକ୍ଷିତ ଅଛି, କିନ୍ତୁ ଆମର କର୍ମୀଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ପ୍ରାୟ ୧୪ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ସେମାନଙ୍କ ବଳିଦାନକୁ କେବେ ଭୁଲି ହେବ ନାହିଁ। ଆଲ୍ଲା ସେମାନଙ୍କୁ ଶାନ୍ତି ମିଳୁ ଏବଂ ସେମାନଙ୍କ ପରିବାରକୁ ଧର୍ଯ୍ୟ ଦିଅନ୍ତୁ। ଏହା ମୋ ଉପରେ ଋଣ, ଏବଂ ମୁଁ ଏହାକୁ ଦାୟିତ୍ୱର ସହ ପୂରଣ କରିବି।"

ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଏହି ଆକ୍ରମଣର ଘଟଣାକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ଆହତମାନଙ୍କ ପାଇଁ ତୁରନ୍ତ ଚିକିତ୍ସା ଯୋଗାଇବା ସହ ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରମଣର ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ମଧ୍ୟ ଅନୁରୋଧ କରିଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏହି ସମୟରେ, କ୍ୱେଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।