ଭୁବନେଶ୍ୱର ୩୦/୧୦: ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ଦୀର୍ଘ ଘଣ୍ଟା ପରେ ନୀତିକାନ୍ତି ଚାଲିଛି । ସକାଳୁ ସରିଲାଣି ମଙ୍ଗଳ ଆଳତି ଅବକାଶ । କାଲିଠାରୁ ଓପାସରେ ଥିଲେ ପ୍ରଭୁ ଲିଙ୍ଗରାଜ । କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି । ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ । ଏହା ପରେ କୋଠ ଭୋଗ ପ୍ରକ୍ରିୟା ଠାରୁ ସବୁକିଛି ଧୀରେ ଧୀରେ ଠିକ୍ ଠାକ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । 

ଠାକୁରଙ୍କ ସମର୍ଥା ସେବାୟତର ନିଅଂଶ(ଉତ୍ତରାଧିକାରୀ ନ ଥିବା) ପରିବାରର ୨ ଦିନ(ବୁଧ ଏବଂ ଗୁରବାର) ପାଳିଥିଲା । ଯାହା ଆଗରୁ ନିଜ ମଧ୍ୟରେ
ଆଲୋଚନା କରି ସମର୍ଥା ସେବାୟତମାନେ ନିଅଂଶ ପାଳି ତୁଲାଉଥିଲେ । କିନ୍ତୁ ଗତ ମାସ ୪ ତାରିଖରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ମିଳିତ ଭାବେ କିଛି ସମର୍ଥା ସେବାୟତଙ୍କ ଫୁଲ- ଦୀପ ଦୋକାନ ସିଂହଦ୍ୱାର ସମ୍ମୁଖରେ ଉଚ୍ଛେଦ କରାଇଥିବାରୁ ସେହିଦିନଠାରୁ ସେମାନେ ନୀତିରେ ସହଯୋଗ କରିବେନି ବୋଲି କଡ଼ା ଚେତାବନୀ ଦେଇଥିଲେ ।

 

କିଛିଦିନ ପରେ ଅର୍ଥାତ ୯ ତାରିଖରେ ଏହି ନିଅଂଶ ପାଳି ପାଇଁ ଅସହଯୋଗର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ସେଦିନ ନିଅଂଶ ପାଳିର ସେବାୟତ
ନ ଆସିବାରୁ ସମସ୍ତ ନୀତି ଆଉ ଧୂପ ବେଳେ ବିନା ଘଣ୍ଟ ବାଦ୍ୟରେ କାମ ଚଳାଯାଇଥିଲା । କିନ୍ତୁ ୫୦ ଦିନ ବିତିଗଲା ପଛେ ସମସ୍ୟା ସମାଧାନ
ହୋଇନଥିଲା । ଶେଷରେ ବାଧ୍ୟ ହୋଇ ନୀତିକାନ୍ତି ବନ୍ଦ ରହିଥିଲା । ପ୍ରଶାସନ ହସ୍ତକ୍ଷେପ ପରେ ନୀତି ସ୍ୱାଭାବିକ ହୋଇଛି ।