News7 Logo

୨୩ରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

NEWS7
Lord Jagannath's jewels and ornaments will be shifted to Ratna Bhandar on the 23rd September

ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ। ସେହିଦିନ ଭୋର ୪ ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟିବ। ସର୍ବସାଧାରଣ ଦର୍ଶନ ନେଇ କଟକଣା ରହିବ। ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ। ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରତ୍ନଭଣ୍ଡାର ସବକମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ। ୨୩ ତାରିଖ ଦିନ ମାହେନ୍ଦ୍ର ବେଳା ସକାଳ ୭.୧୭ ରୁ  ୧୧.୧୭ ଭିତରେ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ରହିବ। କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡାଯିବ ନାହିଁ। ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ।

ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ଦୁଇ ଜଣ ସଦସ୍ୟ ରହିବେ ତାହା କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ନିଷ୍ପତ୍ତି ନେବେ। ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରିପାରିବେ। ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଏସପିଙ୍କୁ ପ୍ରଦାନ କରାଯିବ। ସ୍ଥାନାନ୍ତରଣ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ପଡିବ ନାହିଁ ସେ ଉପରେ ଗୁରୁତ୍ବ ଦିଆଯିବ।

ତେବେ ସାଧାରଣ ଭକ୍ତଙ୍କ ପାଇଁ କଟକଣା ରହିବ। ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ତେବେ ଭିତର କାଠ ଦର୍ଶନ ଆଦୌ ହେବ ନାହିଁ। ସେହିପରି କୌଣସି ପରିସ୍ଥିତିରେ ଭକ୍ତ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ।ସେହିପରି ନାଟମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି। ଏହା ପରେ ହୁଣ୍ଡି ସ୍ଥାନାନ୍ତରଣ ହୋଇ ଧାଡ଼ି ଦର୍ଶନ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ। ଏନେଇ ପରିଚାଳନା କମିଟି ନିଷ୍ପତ୍ତି ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ, ଏଏସଆଇ ଅଧିକାରୀଙ୍କ ସହିତ ଛତିଶା ନିଯୋଗ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସ୍ଥାନାନ୍ତରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆଗାମୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ନେଇ ଆଲୋଚନା ହେବ।