ନୂଆଦିଲ୍ଲୀ୦୨ |୧୧ :  ଟି-୨୦ ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ୍ ଟିମକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର୍ ବ୍ୟାଟସମ୍ୟାନ୍ କେନ୍ ଓ୍ୱିଲମସନ୍ ଟି-୨୦ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଅନ୍ତର୍ଜାତୀୟ ଟି-୨୦ ମୁକାବିଲା ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଯାହା କିଓ୍ୱି ଫ୍ୟାନଙ୍କୁ ନିରାଶ କରିଛି । ୨୦୨୬ରେ ହେବାକୁ ଥିବା ବିଶ୍ବକପ୍ ପାଇଁ ଆଉ ୪ ମାସ ଥିବା ବେଳେ କେନଙ୍କ ଏହି ନିଷ୍ପତ୍ତି ଦଳକୁ ବ୍ୟାକଫୁଟରେ ପକାଇ ଦେଇଛି ।

୩୫ ବର୍ଷୀୟ କେନ୍ ୯୩ଟି ଟି-୨୦ ମୁକାବିଲା ଖେଳିଛନ୍ତି । ଏହି ଫର୍ମାଟରେ ତାଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଥିଲା । ସେ ଦଳ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ତାଙ୍କର ମୋଟ୍ ରନ୍ ୨୫୭୫ ଥିବା ବେଳେ ଆଭରେଜ୍ ରହିଛି ୩୩ । ଯେଉଁଥିରେ ୧୮ଟି ଅର୍ଦ୍ଧଶତକ ରହିଥିବା ବେଳେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ ହେଉଛି ୯୫ ।

୨୦୧୧ରେ ଟି୨୦ ଫର୍ମାଟରେ ପଦାର୍ପଣ କରିଥିଲେ କେନ୍ । ଏହାସହ ୭୫ଟି ଇନିଂସରେ ଦଳର ନେତୃତ୍ୱ ନେଇଥିଲେ । ଦଳକୁ ସେ ୨୦୧୬ ଓ ୨୦୨୨ ସେମି ଏବଂ ୨୦୨୧ ଫାଇନାଲରେ ପହଁଚାଇବାରେ ସଫଳ ହୋଇଥିଲେ ।

ଟି-୨୦ ଫର୍ମାଟକୁ ଅଲବିଦା କରି ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହି କ୍ରିକେଟ୍ ସହ ସେ ଜଡିତ ଥିଲେ । ଏହି ସମୟରେ ଘଟିଥିବା ସବୁ ସମୟ ତାଙ୍କ ପାଇଁ ଖାସ୍ ହୋଇ ରହିବ । ଏବେ ହେଉଛି ଅବସର ନେବାର ଠିକ୍ ସମୟ । ଯାହା ଦଳକୁ ବିଶ୍ବକପ୍ ପୂର୍ବ ପ୍ରସ୍ତୁତି ପାଇଁ ସହାୟକ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ପାଖରେ ଟି୨୦ ଫର୍ମାଟ୍ ପାଇଁ ବହୁତ ଭଲ ଖେଳାଳି ରହିଛନ୍ତି । ଆଗାମୀ ଦିନ ଯୁବ ଖେଳାଳିଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ । ଦଳର ନେତୃତ୍ୱ ନେଉଥିବା ମିଚେଲ୍ ସାଣ୍ଟନର୍ ମଧ୍ୟ ଜଣ ଅନୁଭବି ଖେଳାଳି ଅଟନ୍ତି । ସେ ଏବେ ବ୍ଲାକ୍ କ୍ୟାପ୍ସକୁ ଆଗକୁ ନେବେ ବୋଲି କେନ୍ ଆଶା କରିଛନ୍ତି । ଏହାସହ ଦଳକୁ ବାହାରେ ରହି ସେ ସର୍ବଦା ସମର୍ଥନ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।