LIVE TV

କଟକରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ

NEWS7
Cuttack Violence

କଟକ: କଟକ ସହରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପରିସ୍ଥିତିକୁ ଦେଖି ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ଏ ନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନିକଟରେ କଟକ ସହରରେ ଦେଖା ଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ।  ​​​​​​​

ସୂଚନାଥାଉକି, ଶୁକ୍ରବାର ଦୁର୍ଗାମେଢ଼ ଭସାଣୀ ସମୟରେ ହୋଇଥିବା ଦଙ୍ଗା ପରଠୁ କଟକରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଫଳରେ ପୋଲିସ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବନ୍ଦ କରିଥିଲା। ଯାହାକୁ ପୁଣି ୨୪ ଘଣ୍ଟା ଯାଏ ବୃଦ୍ଧି କରାଯାଇଛି। ହ୍ୱାଟ୍ସଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଉପରେ ପ୍ରତିବନ୍ଧକ ରହିଛି। ଗୃହ ବିଭାଗ ପକ୍ଷରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ବାତିଲ୍ କରାଯାଇଛି। କଟକର ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଯେଉଁଥିରେ ଚୌଧୁରୀ ବଜାର, ବକ୍ସିବଜାର,କଦମ ରସୁଲ, ଦର୍ଘାବଜାର ଭଳି ଅଞ୍ଚଳ ରହିଛି। ଉଲ୍ଲେଖନୀୟ ଯେ, ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ଏବେ ବି ସହରର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଶନିବାର କଟକରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖାଦେଇଥିଲା। ଆଉ ସୋମବାର ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଦିଆଯାଇଥିବା ବନ୍ଦ ଡକରାକୁ ସମର୍ଥନ କରି ଅନେକ ସଂଗଠନ ରବିବାର ରାଲି ବାହାର କରିଥିଲେ। ରାଲି ପାଇଁ ପୋଲିସ ଅନୁମତି ନ ଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଦରଘା ବଜାରରେ ଉତ୍ତେଜନା ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି। ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୬୩ ଜାରି ହୋଇଛି। ଅର୍ଦ୍ଧ ସାମରିକ ବାହିନୀ ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରାଯାଇଛି।

ସହରରେ ଭିଡ଼ ନ କରିବାକୁ ପୋଲିସ ଅପିଲ୍ କରିଛି। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ଡିସିପିଙ୍କ ସହ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି। ଗଣମାଧ୍ୟମର କିଛି ପ୍ରତିନିଧି ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି। କଟକରେ ମା'ଙ୍କ ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ। ବନ୍ଦ ଡାକରାକୁ ନେଇ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଡିସିପି ପୂଜା କମିଟି ଓ ଶାନ୍ତି କମିଟି ଗୁଡିକୁ ନିବେଦନ କରିଛନ୍ତି। ଏହା ସହ କିଛି ପୂଜା କମିଟି ସହ ଡିସିପି ବୈଠକ କରି ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ସେପଟେ ସହରର ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥା ବଢାଇବା ଓ ଲୋକଙ୍କ ଭିତରେ ସୁରକ୍ଷାର ଭାବନା ବଢାଇବା ପାଇଁ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୋଲିସ୍ ଫ୍ଲାଗ ମାର୍ଚ୍ଚ କରିଛି। ଆସନ୍ତାକାଲି ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ପ୍ରସ୍ତୁତ ଥିବା କହିଛି। ବନ୍ଦ ପୂର୍ବରୁ ପୋଲିସର କଟକ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ଦରଘା ବଜାର ଥାନା ନିକଟରୁ ବାହାରି ହାତୀ ପୋଖରୀ ,ସେମିନାର ଛକ, ଝୋଲା ସାହି ଓ କାଠ ଗଡା ସାହି ଆଦି ଅଞ୍ଚଳ ବୁଲିଥିଲା। ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି।

ବନ୍ଦ ଡାକରା ପ୍ରତି ସମର୍ଥନ ଯୋଗାଡ଼ କରିବାକୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସହରରେ ବାଇକ ରାଲି କରାଯାଇଛି। ଏଥିରେ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ତେବେ ରାଲି ପାଇଁ ଅନୁମତି ନ ଥିବାରୁ ଦରଘା ବଜାରରେ ରାଲିକୁ ଅଟକାଇଥିଲା ପୋଲିସ। ଫଳରେ ଏଠାରେ ଉତ୍ତେଜନାମୂଳକ ସ୍ଥିତି ଉପଜୁଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ଘଟଣାରେ ଡିସିପିଙ୍କ ସହ ୬ ପୋଲିସ କର୍ମୀ ଆହତ ହୋଇଛନ୍ତି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମାଲଗୋଦାମ ବ୍ୟବସାୟୀ ସଂଘ କାଲି କାରବାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି।

ସେପଟେ ​​​​​​​ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।