କଟକ: ‘ଭାଇଚାରା’ର ସହର କଟକକୁ ଶାନ୍ତି ଫେରୁଛି। ସହରର ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ ଉଦ୍ୟମ ଜାରି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ କୋହଳ କରାଯାଇଥିବାବେଳେ, ସନ୍ଧ୍ୟା ୭ଟାରୁ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା। ଗଣ୍ଡଗୋଳ ପରଠାରୁ ପ୍ରାୟ ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ।

ସୂଚନାଥାଉକି, ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା, ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲାଗିଥିଲା ।

ତେବେ କର୍ଫ୍ୟୁ କୋହଳ ହୋଇଥିଲେବି, ସାରା ସହର ପୁଲିସ ଫୋର୍ସ ବଳୟରେ ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍‌ କରି ସ୍ଥିତି ଉପରେ ନଜର ରଖିଛନ୍ତି ।

ପ୍ରତ୍ୟେକଟି ସ୍ଥାନରେ ପୋଲିସର କଡ଼ା ନଜର ରହିଛି ବୋଲି ପୋଲିସ କମିଶନର କହିଛନ୍ତି । କମିଶନର କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ ଅଛନ୍ତି । କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ । ପରିସ୍ଥିତି ଦେଖି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହେବାକୁ ଦେବୁନି। ଗୁଜବରେ ବିଶ୍ବାସ କରନ୍ତୁନି, ନିର୍ଭୟରେ ରୁହନ୍ତୁ ।

ସେପଟେ କଟକରେ ଶୋଭାଯାତ୍ରାବେଳେ ଗଣ୍ଡଗୋଳ ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ମୋଟ୍ ଗିରଫଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।