LIVE TV

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇ ଭାରତ ଜିତିଲା ଦ୍ୱିତୀୟ ଟେଷ୍ଟ, ୨-୦ରେ ସିରିଜ୍ ଆଗୁଆ

NEWS7
2nd test

ନୂଆଦିଲ୍ଲୀ ୧୪/୧୦: ଅହମ୍ମଦାବାଦ ପରେ ଦିଲ୍ଲୀ ଦଖଲ କରିଛି ଶୁବମନ ସେନା । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଜିତିନେଇଛି ଭାରତ । ଦ୍ୱିତୀୟ ଏବଂ ଅନ୍ତିମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା । ମ୍ୟାଚ୍‌ର ପଞ୍ଚମ ଓ ଅନ୍ତିମ ଦିନକୁ ସହଜରେ ଦଖଲ କରିଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌କୁ ହରାଇ ୨-୦ରେ କବ୍‌ଜା କରିଛି । ତେବେ ବିଜୟର ନାୟକ ଥିଲେ ଯଶସ୍ୱୀ ଜୟସୱାଲ ଓ କୁଲଦୀପ ଯାଦବ । 

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଦଳ ସାତ ୱିକେଟରେ ବିଜୟୀ ହୋଇଥିଲା । ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଦଳ ପଞ୍ଚମ ଦିନର ଖେଳର ପ୍ରଥମ ସେସନରେ (ଅକ୍ଟୋବର ୧୪) ଏହାକୁ ହାସଲ କରିଥିଲା। କୁଲଦୀପ ମ୍ୟାଚ୍‌ରେ ଆଠ ୱିକେଟ୍ ନେଇଥିଲେ । ଯଶସ୍ୱୀ କରିଥିଲେ ୧୭୫ ।

ଏହି ବିଜୟ ସହିତ, ଭାରତୀୟ ଦଳ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ୨-୦ ରେ କ୍ଲିନ୍ ସୁଇପ୍ କରିଛି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ, ୱେଷ୍ଟଇଣ୍ଡିଜ ତା'ର ଦ୍ୱିତୀୟ ଇନିଂସରେ ୩୯୦ ରନ କରିଥିଲା। ଟିମ୍ ଇଣ୍ଡିଆ ତା'ର ପ୍ରଥମ ଇନିଂସ ୫୧୮/୫ ରେ ଘୋଷଣା କରିଥିଲା । ତେବେ ଜବାବରେ ୱେଷ୍ଟଇଣ୍ଡିଜ ତା'ର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୨୭୦ ରନର ଲିଡ୍ ନେଇ ଭ୍ରମଣକାରୀ ଦଳକୁ ଫଲୋଅନ୍ କରିବାକୁ ବାଧ୍ୟ କରିଥିଲା।

ଭାରତୀୟ ଦଳ ଅହମଦାବାଦରେ ସିରିଜର ପ୍ରଥମ ଟେଷ୍ଟରେ ଏକ ଇନିଂସ ଏବଂ ୧୪୦ ରନରେ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହା ଭାରତର କ୍ରମାଗତ ୧୦ମ ଟେଷ୍ଟ ସିରିଜ ବିଜୟ। ୱେଷ୍ଟଇଣ୍ଡିଜ ଶେଷ ଥର ପାଇଁ ୨୦୦୨ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ (୨-୧) ଭାରତକୁ ପରାସ୍ତ କରିଥିଲା। ସେବେଠାରୁ, ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ଗୋଟିଏ ବି ଟେଷ୍ଟ ମ୍ୟାଚ ଜିତିନାହିଁ।

ଟାର୍ଗେଟ ପିଛା କରୁଥିବା ବେଳେ ଭାରତର ଆରମ୍ଭ ଆଶାନୁରୂପ ନଥିଲା। ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ଜୋମେଲ ୱାରିକାନ ମାତ୍ର 8 ରନ କରି ଆଉଟ କରିଥିଲେ। ତଥାପି, କେଏଲ ରାହୁଲ ଓ ସାଇ ସୁଦର୍ଶନ ୭୯ ରନର ଭାଗୀଦାରି କରିଥିଲେ । ସୁଦର୍ଶନ ରୋଷ୍ଟନ ଚେଜଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ୩୯ ରନ କରିଥିଲେ। ଏହାପରେ ଶୁଭମନ ଗିଲ ଶସ୍ତାରେ ଆଉଟ ହୋଇଥିଲେ (୧୩ ରନ), କିନ୍ତୁ କେଏଲ ରାହୁଲ (୫୮ ଅପରାଜିତ) ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟୀ କରାଇଥିଲେ।