LIVE TV

୧ GB ଡାଟାର ମୂଲ୍ୟ ଏକ କପ୍ ଚା’ଠାରୁ ବି ଶସ୍ତା, ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଉଦ୍‌ଘାଟନ କରି କହିଲେ ପିଏମ୍ ମୋଦୀ

NEWS7
IMC

ନୂଆଦିଲ୍ଲୀ: ଭାରତ ଓ ଏସିଆର ସର୍ବବୃହତ ଟେକ୍ନୋଲୋଜି ମେଳା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ଆରମ୍ଭ ହୋଇଛି । ଅକ୍ଟୋବର ୮ରୁ ୧୧ ଯାଏ ନୂଆଦିଲ୍ଲୀର ୟଶୋଭୂମି କନଭେନସନ୍ ସେଣ୍ଟରରେ ଏହା ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏହି ମେଳାକୁ ଉଦ୍‌ଘାଟନ କରି ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୁବପିଢି ଟେକ୍ କ୍ରାନ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି । ପୂର୍ବେ ଭବିଷ୍ୟତର ମାନେ ଆଗାମୀ ଶତାବ୍ଦୀ କିମ୍ୱା ଆଗାମୀ ୧୦-୨୦ ବର୍ଷ ବୁଝାଯାଉଥିଲା, କିନ୍ତୁ ଟେକ୍ନୋଲୋଜି ଏତେ ଶୀଘ୍ର ବଦଳୁଛି ଯେ ଏବେ ଆମେ କହୁଛୁ, ଦ ଫ୍ୟୁଚର୍ ଇଜ୍ ହିୟର ଆଣ୍ଡ ନାଓ।

ପିଏମ୍ ମୋଦୀ ଭାରତରେ ଶସ୍ତା ମୋବାଇଲ୍ ଡାଟା ଉଲ୍ଲେଖ କରି କହିଛନ୍ତି, ଆଜି ଦେଶରେ ୧ ଜିବି ୱାୟରଲେସ୍ ଡାଟାର ମୂଲ୍ୟ ଏକ କପ୍ ଚାପର ମୂଲ୍ୟଠାରୁ ବି ଶସ୍ତା । ଡାଟା ବ୍ୟବହାର କଥା ଯଦି କହିବା, ତେବେ ଭାରତ ଦୁନିଆର ଅଗ୍ରଣୀ ଦେଶରେ ସାମିଲ ଅଛି । ଏହାର ଅର୍ଥ ହେଉଛି ଡିଜିଟାଲ୍ କନେକ୍ଟିଭିଟି ଏବେ କୌଣସି ବିଳାସ କିମ୍ୱା ବିଶେଷାଧିକାର ହୋଇ ନାହିଁ, ବରଂ ଭାରତୀୟ ଜୀବନର ଅଭିନ୍ନ ଅଂଶ ହୋଇସାରିଛି ।

ନିଜ ସମ୍ୱୋଧନରେ ପିଏମ୍ କହିଛନ୍ତି, ପ୍ରଦର୍ଶନୀରେ କିଛି ଷ୍ଟଲ୍ସ ଦେଖିଲି, ଯେଉଁଥିରେ ମୋତେ ଭବିଷ୍ୟତର ଝଲକ ଦେଖାଗଲା । ଟେଲିକମ୍ କନେକ୍ଟିଭିଟି, 6G, ଟେକ୍ନୋଲୋଜି, ଏଆଇ, ସାଇବର୍ ସିକ୍ୟୁରିଟି, ସେମିକଣ୍ଡକ୍ଟର, ଡ୍ରୋନ-ସ୍ପେସ୍ ଟେକ୍ନୋଲୋଜି, ଡିପ୍-ସି ଓ ଗ୍ରୀନ୍-ଟେକ୍ ଆଦି ସହ ଅନ୍ୟ ଟେକ୍ନୋଲୋଜି ସେକ୍ଟର୍ସରେ ଆଗାମୀ ସମୟରେ ପୂରା ଅଲଗା ହେବାକୁ ଯାଉଛି । ପିଏମ୍ ମୋଦୀ କହିଛନ୍ତି, 6G ଟେକ୍ନୋଲୋଜିରେ ଭାରତ ଦୁନିଆର ନେତୃତ୍ୱ ନେବ । ଇଣ୍ଟରନେଟ୍ ସ୍ପିଡର ଗୁରୁତ୍ୱ ଦର୍ଶାଇ କହିଛନ୍ତି, ସ୍ପିଡ୍ କେବଳ ନମ୍ୱର ଓ ରାଙ୍କିଂ ପାଇଁ ନୁହେଁ, ବରଂ ଭଲ ଇଣ୍ଟରନେଟ୍ ସ୍ପିଡ୍ ଇଜ୍ ଅଫ୍ ଲିଭିଂକୁ ମଧ୍ୟ ପ୍ରୋତ୍ସାହିତ କରିବ । ଇଣ୍ଟରନେଟ୍ ସ୍ପିଡ୍ ବଢିବା ଦ୍ୱାରା କନେକ୍ଟିଭିଟି ଅଧିକ ସହଜ ହେବ ।

ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଏସିଆର ସବୁଠୁ ବଡ଼ ଟେଲିକମ୍, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଅଟେ । ଚଳିତ ଥର ଏହି ପ୍ରଦର୍ଶନୀରେ ସାରା ଦୁନିଆର ଉଦ୍ୟୋଗୀ, ନୀତି ନିର୍ମାତା ଓ ଟେକ୍ ଇନୋଭେଟର୍ସ ଭାଗ ନେବେ । ଚାରି ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅପ୍ଟିକଲ୍ କମ୍ୟୁନିକେସନ, ସେମିକଣ୍ଡକ୍ଟର, କ୍ୱାଣ୍ଟମ କମ୍ୟୁନିକେସନ, 6ଜି ଓ ଫ୍ରଡ ରିକ୍ସ ଇଣ୍ଡିକେଟର୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା ହେବ ।