ଲକ୍ଷ୍ମୌ: ଦୀପରେ ଝଲସୁଛି ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ନଗରୀ । ଅଯୋଧ୍ୟାରେ ଆରମ୍ଭ ହୋଇଛି ଭବ୍ୟ ଦୀପୋତ୍ସବ। ଦୀପାବଳୀ ପୂର୍ବ ସନ୍ଧ୍ୟାରେ ଆୟୋଜିତ ଦୀପୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରରେ ଦୀପ ଜାଳି ଏହି ଭବ୍ୟ ଉତ୍ସବର ଉଦଘାଟନ କରିଛନ୍ତି।୨୦୧୭ ପରଠାରୁ କ୍ରମାଗତ ଭାବରେ ଅଯୋଧ୍ୟାରେ ଏହି ଭବ୍ୟ ଦୀପୋତ୍ସବ ପାଳନ ହୋଇଆସୁଛି।

ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ରାମକଥା ପାର୍କ ପହଞ୍ଚି ପ୍ରଥମେ ସେଠାରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ କରିଥିଲେ। ଏହା ପରେ ରାମ ମନ୍ଦିର ଯାଇ ପୂଜା- ଅର୍ଚ୍ଚନା କରିବା ସହ ଦୀପ ଜାଳି ଦୀପୋତ୍ସବର ଉଦଘାଟନ କରିଥିଲେ। ଯାହା ପରେ ୩,୩୦୦ ସ୍ବେଚ୍ଛାସେବୀ ୫୬ଟି ଘାଟରେ ପ୍ରାୟ ୨୬ ଲକ୍ଷ ୧୭ ହଜାର ୨୧୫ ଦୀପ ପ୍ରଜ୍ବଳନ କରିଛନ୍ତି। ଏଥିପାଇଁ ୧୫ ମିନିଟ୍‌ ସମୟ ଲାଗିଥିଲା। ଏହା ପରେ ୨୧୨୮ରୁ ଅଧିକ ବିଦ୍ବାନ ମହାଆଳତୀ କରିଥିଲେ। ସନ୍ଧ୍ୟା ହେବା ପରେ ଡ୍ରୋନ ଶୋ ଏବଂ ଲେଜର ଶୋ ମଧ୍ୟ କରାଯାଇଥିଲା। ଏହା ପରେ ସିଏମ ଯୋଗୀ ସରଜୂ ଘାଟରେ ପହଞ୍ଚି ଆଳତୀ ମଧ୍ୟ କରିଛନ୍ତି।

ତେବେ ଏଥର ୬ ଲକ୍ଷ ୧୭ ହଜାର ୨୧୫ ଦୀପ ପ୍ରଜ୍ବଳନ ଏବଂ ୨୧୨୮ ବିଦ୍ବାନଙ୍କ ମହାଆଳତୀ ସହ ଗିନିଜ ବୁକ୍‌ ଅଫ୍‌ ରେକର୍ଡ ଦୁଇ ଦୁଇଟି ରେକର୍ଡ କରିଛି ଅଯୋଧ୍ୟାର ଦୀପୋତ୍ସବ। ସୂଚନାଥାଉକି, ଗତ ବର୍ଷ ରେକର୍ଡ ସଂଖ୍ୟକ ୨୬ ଲକ୍ଷ ୧୧ ହଜାର ୧୦୧ ଦୀପ ପ୍ରଜ୍ବଳିତ ହୋଇଥିଲା।