LIVE TV

OPRBର ବୈଠକ ଶେଷ : ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ, ବ୍ୟସ୍ତ ହୁଅନ୍ତୁନି ପରୀକ୍ଷାର୍ଥୀ

NEWS7
OPRB

ଭୁବନେଶ୍ବର ୪।୧୦: OPRBର ଜରୁରୀ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧ୍ୟକ୍ଷ ସୁଶାନ୍ତ ନାଥ । ସେ କହିଛନ୍ତି, ଘଟଣା ସମ୍ପର୍କରେ ଲିଖିତ ଭାବେ କ୍ରାଇମବ୍ରାଞ୍ଚକୁ ଜଣାଇଛୁ । ଏ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସ୍ଵଚ୍ଛ ଭାବେ ପରୀକ୍ଷା କରାଯିବ ବୋଲି ସୁଶାନ୍ତ ନାଥ କହିଛନ୍ତି ।       

ସେପଟେ ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ଏସ୍‌ଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ । ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସ୍‌ପି ଅନୀଲ ବେଉରିଆ ।

ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି । ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍‌ ପଛର ମାଷ୍ଟରମାଇଣ୍ଡ ଏବେବି ଫେରାର ଅଛନ୍ତି ।  କ୍ରାଇମବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ ଲ୍ୟାବ୍‌ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି । ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସ୍‌କୁ ସିଲ୍‌ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଘୋଟାଲା ପାଇଁ ଯୋଜନା କରିଥିଲେ । ଖଣ୍ଡଗିରି ଅଞ୍ଚଳର ମୁନା ମହାନ୍ତିଙ୍କୁ ରାକେଟ୍‌ରେ ସାମିଲ କରି ଆଶାୟୀଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ତେବେ ମୁନା ବିଭିନ୍ନ ମାଧ୍ୟମରେ ଆଶାୟୀଙ୍କ ସହ ଯୋଗାଯୋଗ କରି ଆଗୁଆ ଅରିଜିନାଲ୍‌ ସାର୍ଟିଫିକେଟ୍ ହାତାଉଥିଲା । ଏହାକୁ ସେ ଶଙ୍କର ସହ ଯୋଗାଯୋଗ କରି ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା । ଯାହାର ପ୍ରମାଣ ପୋଲିସ ହାତରେ ଲାଗିଛି । ଏହା ବ୍ୟତୀତ ଗିରଫ ୧୧୭ ଜଣଙ୍କ ଭିତରୁ ୯ ଜଣଙ୍କ ଭୂମିକାକୁ ନେଇ ସନ୍ଦେହ ସୃ‌‌ଷ୍ଟି ହୋଇଛି । ସବୁଠୁ ବଡ଼କଥା ହେଲା ଏହି ୯ ଜଣଙ୍କ ମଧ୍ୟରୁ ପୂର୍ବତନ ଜେଲ୍‌ ଡିଆଇଜିଙ୍କ ପୁଅ ରହିଛନ୍ତି । ସଂପୃକ୍ତ ଡିଆଇଜି ୪ ମାସ ତଳେ ଚାକିରିରୁ ଅବସର ନେଇଛନ୍ତି ।​​​​​​​