LIVE TV

ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକ, ୬୭ ବର୍ଷରେ ଶ୍ରମିକ ଓ ଆଦିବାସୀ ନେତାଙ୍କ ଦେହାନ୍ତ

NEWS7
jerge tirki

ଭୁବନେଶ୍ୱର ୨୦/୦୯: ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କି ଆଉ ନାହାନ୍ତି ।  ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ଦେହାନ୍ତ ହୋଇ ଯାଇଛି । ଗତକାଲି  ମଧ୍ୟରାତ୍ରିରେ ଭୁବନେଶ୍ଵର ଏକ ଘରୋଇ ହସପିଟାଲ୍ ରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିମାସ ଧରି ସେ ସେ ଗୁରୁତର ଅସୁସ୍ଥ ଥିଲେ । ଶେଷ ଶଯ୍ୟା ନିକଟରେ ତାଙ୍କ ପୁଅ ତଥା ବୀରମିତ୍ରପୁର ବିଧାୟକ ୟକ ରୋହିତ ଯୋସେଫ ତିର୍କି ଏବଂ ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

ଅପରାହ୍ନରେ ପୈତୃକ ଗ୍ରାମ ଝୁନମୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ  ବୋଲି ପରିବାର ସୂତ୍ରରୁ ଜଣାପଡିଛି । ଛାତ୍ରଜୀବନରୁ  ଜଣେ ଲଢ଼ୁଆ ସଂଗଠକ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ଲଢୁଆ ଆଦିବାସୀ ନେତା ରୂପେ ତାଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ସୁଖ୍ୟାତି ରହିଥିଲା। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାରୁ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ସେ ସେହି ସମାନ ଆସନରୁ ୨୦୦୯ରେ ସ୍ବାଧୀନ ଓ ୨୦୧୪ରେ ସମତା କ୍ରାନ୍ତି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨ଥର ସୁନ୍ଦରଗଡ଼ ଆସନରୁ ଲୋକସଭା ପ୍ରାର୍ଥୀ ରୂପେ ମଧ୍ୟ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ରାଜନୈତିକ ଜୀବନର ଶେଷ ଭାଗରେ ସେ କଂଗ୍ରେସ ଓ ପରେ ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ରେ ସେ ପୁଅ ରୋହିତ ଯୋସେଫ ତିର୍କିଙ୍କୁ ବୀରମିତ୍ରପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ କରାଇ ପ୍ରତ୍ୟକ୍ଷ ରାଜନୀତିରୁ ଏକପ୍ରକାର ଦୂରେଇ ରହିଥିଲେ ।