News7 Logo

ଅର୍ଥ ମନ୍ତ୍ରଣାଳୟର ଉପସଚିବଙ୍କୁ ଧକ୍କା ଦେଲା ମହିଳାଙ୍କ କାର: ଚାଲିଗଲା ଜୀବନ, ସ୍ତ୍ରୀ ଗୁରୁତର

NEWS7
bmw accident

ନୂଆଦିଲ୍ଲୀ ୧୪/୦୯ : ରାଜଧାନୀ ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା । BMW ଦୁର୍ଘଟଣାରେ ଅର୍ଥ ବିଭାଗର ଉପ ସଚିବଙ୍କ ମୃତ୍ୟୁ । ପ୍ରାପ୍ତ ସୂଚନା ଅନୁଯାୟୀ, ଦିଲ୍ଲୀ କ୍ୟାଣ୍ଟ ମେଟ୍ରୋ ଷ୍ଟେସନ ନିକଟ ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଲମ୍ବା ଟ୍ରାଫିକ ଜାମ ହୋଇଥିଲା । ପୋଲିସକୁ ଏ ବିଷୟରେ PCR କଲ୍ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ପୋଲିସ ସୁଚନା ମୁତାବକ, ରାସ୍ତା ମଝିରେ ଏକ BMW କାର ଓଲଟି ପଡ଼ିଥିଲା । ଏହାସହ ଡିଭାଇଡର ପାଖରେ ବାଇକ୍ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାର ଚଳାଉଥିବା ମହିଳା ବାଇକ୍‌କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ପରେ, ମହିଳା ଓ ତାଙ୍କ ସ୍ୱାମୀ ଏକ ଟ୍ୟାକ୍ସି ନେଇ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । କିଛି ସମୟ ପରେ, ପୋଲିସ ହସ୍ପିଟାଲରୁ ସୂଚନା ପାଇଲା ଯେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାଇକ୍ ଆରୋହୀଙ୍କୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଉପସଚିବ ନବଜୋତ ସିଂହ ବୋଲି ଚିହ୍ନଟ କରାଯାଇଛି । କୁହାଯାଇଛି ଯେ ସେ ତାଙ୍କ ପତ୍ନୀଙ୍କ ସହିତ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ଘରକୁ ଫେରୁଥିଲେ । ଏହି ସମୟରେ, ରିଙ୍ଗ ରୋଡରେ ଏକ BMW ଚଳାଉଥିବା ଜଣେ ମହିଳା ତାଙ୍କ ବାଇକ୍‌କୁ ଜୋର୍‌ରେ ଧକ୍କା ଦେଇଥିଲେ। 
କାର ଚଳାଉଥିବା ମହିଳା ଓ ତାଙ୍କ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ କାର ଓ ବାଇକ୍‌କୁ ହେପାଜତକୁ ନେଇଛି । ତଦନ୍ତ ପାଇଁ କ୍ରାଇମ୍ ଟିମ୍ ଏବଂ FSL ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦୁର୍ଘଟଣା ଯୋଗୁଁ ରିଙ୍ଗ ରୋଡରେ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା।
ସେପଟେ ଉପସଚିବଙ୍କ ପୁଅ କହିଛନ୍ତି ଯେ ଦୁର୍ଘଟଣା ପରେ, ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପରିବର୍ତ୍ତେ, ୧୭ କିଲୋମିଟର ଦୂରରେ ଥିବା ଜିଟିବି ନଗରର ନ୍ୟୁ ଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।