News7 Logo

ଆଫଗାନିସ୍ତାନରେ ଭୂକମ୍ପ ଯୋଗୁଁ ଆତଙ୍କ; ଘରକୁ ଫେରିବାକୁ ଲୋକେ ଭୟଭୀତ, ଏଯାଏଁ ଗଲାଣି ୨୨୦୦ ଜୀବନ

NEWS7
earthquake

ନୂଆଦିଲ୍ଲୀ ୦୮।୦୯; ସେପ୍ଟେମ୍ବର ୧ ତାରିଖରେ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ହଜାର ହଜାର ଲୋକଙ୍କ ଜୀବନକୁ ବଦଳାଇ ଦେଇଛିଛ। କୁନାର ପ୍ରଦେଶରେ ହୋଇଥିବା ଭୂମିକମ୍ପରେ ୨୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୩,୬୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ଭୂମିକମ୍ପ ଅନେକ ଗାଁକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଥିଲା। ଏହା ପରେ ମଧ୍ୟ ଲଗାତାର ସେଠାରେ ଭୂମିକମ୍ପ ହେଉଛି । ଯାହା ଫଳରେ ପାହାଡ଼ରୁ ପଥର ଖସିବା ଆରମ୍ଭ ହୋଇଥିଲା ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା।

ଏବେ ଆଫଗାନ ଲୋକମାନେ ସେମାନଙ୍କର ଗାଁକୁ ଫେରିବାକୁ ମନା କରୁଛନ୍ତି। ସେମାନେ ଭୟ କରୁଛନ୍ତି ଯେ ପୁଣି ଥର ଭୂମିକମ୍ପ ଆସିପାରେ ଏବଂ ପାହାଡ଼ରୁ ଭାରୀ ପଥର ଖସିପାରେ। ଲୋକମାନେ ଖୋଲା ଆକାଶ ତଳେ ବିଲ, ରାସ୍ତା ଏବଂ ନଦୀ କୂଳରେ ରହୁଛନ୍ତି। ଅନେକ ଲୋକଙ୍କ ପାଖରେ ତମ୍ବୁ ମଧ୍ୟ ନାହିଁ। ସେମିତି ରାସ୍ତା କଡରେ ରହୁଛନ୍ତି।

ଅଧିକାଂଶ ଘର ମାଟି ଏବଂ ପଥରରେ ତିଆରି

ଆଫଗାନିସ୍ତାନରେ ଦାରିଦ୍ର୍ୟ ବହୁତ ଅଧିକ। ରାସ୍ତା, ହସ୍ପିଟାଲ ଏବଂ ଘର ଭଳି ସୁବିଧା ବହୁତ କମ୍। ଅନେକ ଗାଁ ସହର କିମ୍ବା ରାସ୍ତା ଠାରୁ କିଛି ଘଣ୍ଟା ଦୂରରେ ଅଛି। ଏଠାରେ ଅଧିକାଂଶ ଘର ମାଟି ଏବଂ ପଥରରେ ତିଆରିଯାହା ଭୂମିକମ୍ପରେ ତୁରନ୍ତ ଭୁଶୁଡ଼ି ପଡ଼େ। ବହୁ ସଂଖ୍ୟକ ଲୋକ ଅସ୍ଥାୟୀ ରିଲିଫ୍ ଶିବିରରେ ରହୁଛନ୍ତି। ହେଲେ ସହାୟତା ସଂଗଠନ ଗୁଡ଼ିକ ହେଲିକପ୍ଟର ଦ୍ୱାରା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ଜିନିଷ ପଠାଉଛନ୍ତି। ଭୂମିକମ୍ପ ପୀଡିତମାନେ କହିଛନ୍ତି ଯେ ଏହି ସାହାଯ୍ୟ ବହୁତ ଧୀର ଏବଂ ସେମାନଙ୍କୁ ନିୟମିତ ଖାଦ୍ୟ ମିଳୁନାହିଁ। ସେଠାକାର ପିଲାମାନେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି। ସ୍କୁଲ ବନ୍ଦ ହେବା ଫଳରେ ପାଠ ମଧ୍ୟ ପଡି ପାରୁ ନାହାନ୍ତି। ଅଧାରୁ ଅଧିକ ସ୍କୁଲ୍‌ ଭୁଶୁଡି ପଡିଛି ।

ଆନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଯଦି ଲୋକଙ୍କୁ ଶୀଘ୍ର ଖାଦ୍ୟ, ପାଣି, ଚିକିତ୍ସା ଏବଂ ଆଶ୍ରୟ ଦିଆ ନ ଯାଏ, ତେବେ ରୋଗ ଏବଂ ଦାରିଦ୍ର୍ୟ ଆହୁରି ବଢ଼ିପାରେ। ଆଫଗାନିସ୍ତାନ ପୂର୍ବରୁ ବିଶ୍ୱର ସବୁଠାରୁ ଗରିବ ଏବଂ ଭୂମିକମ୍ପ ପ୍ରଭାବିତ ଦେଶ ମଧ୍ୟରୁ ଗୋଟିଏ। ଯଦି ସମୟ ମଧ୍ୟରେ ସାହାଯ୍ୟ ନ ମିଳେ, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଏହା ଏକ ମାନବିକ ସଙ୍କଟ, ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ।