LIVE TV

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ଘାସିରାମ ମାଝୀଙ୍କୁ ଦେଲା ଟିକେଟ୍

NEWS7
Ghasiram Majhi

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ନିର୍ବାଚନ ତାରିଖ ଘୋଷଣା ହେବାର ପରବର୍ତ୍ତୀ ଦିନ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ଏବେ କଂଗ୍ରେସ ଟିକେଟରେ ନୂଆପଡ଼ା ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ଘାସିରାମ ମାଝୀ। ଏ ନେଇ ମଙ୍ଗଳବାର ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରାଯାଇଛି। ଗତ ୨୦୨୪ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ବିଜେଡିର ଦିବଙ୍ଗତ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଅଙ୍କୁ ଟକ୍କର ଦେଇଥିବା ଘାସିରାମ ମାଝୀଙ୍କ ଉପରେ ଦଳ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଗତ ନିର୍ବାଚନରେ ଘାସିରାମ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ ଏବଂ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଏବେ ତାଙ୍କର ଲୋକପ୍ରିୟତାକୁ ପାଥେୟ କରି କଂଗ୍ରେସ ନୂଆପଡା ଉପନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି।

ସୂଚନାଯୋଗ୍ୟ ବିଜୁ ଜନତା ଦଳର ନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଛି। ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ହରାଇ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୨୦୧୯ରେ ବିଜେଡି ଟିକେଟରୁ ଲଢି ଜିତିଥିଲେ। କିନ୍ତୁ ୨୦୨୫ ସେପ୍ଟେମ୍ବର ୮ରେ ତାଙ୍କର ପରଲୋକ ଘଟିଥିଲା। ଏହା ପରେ ଏବେ ଏହି ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି।

ଇସିଆଇ ଅନୁଯାୟୀ, ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ଭୋଟିଂ ଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି। ​​​​​​​

ଏହି ଉପନିର୍ବାଚନ ପାଇଁ ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ। ଏହି ଆସନ ଅକ୍ତିକାର କରିବା ପାଇଁ ବଳ କଷାକଷି ହେଲେଣି ତିନି ଦଳ। ବିଜେଡି ନବୀନଙ୍କ ଲୋକପ୍ରିୟତା ସହ ଅନୁକମ୍ପାମୂଳକ ଭୋଟ୍ ସାଉଁଟି ନିର୍ବାଚନୀ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି। କଂଗ୍ରେସ ଗତ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଏହି ଆସନ ହାତେଇବାକୁ ଯୋଜନା କରୁଛି। ଅନ୍ୟପଟେ ପ୍ରଥମ ଥର ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ଜନହିତକର ଯୋଜନାକୁ ପାଥେୟ କରି ନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି। ଦେଖିବାକୁ ବାକି ରହିଲା ଏହି ଆସନ କେଉଁ ପାର୍ଟି ଜିତୁଛି​​​​​​​