News7 Logo

ଚୀନ୍ ତିଆରିଛି ବିଶ୍ୱର ପ୍ରଥମ ‘ବୋନ ଗ୍ଲୁ’, କ୍ଷଣକରେ ଯୋଡ଼ିହେବ ଭଙ୍ଗା ହାଡ଼, ପଡିବନି ସର୍ଜରୀର ଆବଶ୍ୟକତା

NEWS7
Bone Glue

ବେଜିଂ ୧୨।୯: ଚୀନ୍ ବୈଜ୍ଞାନିକମାନେ ଏକ ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି। ବିଶ୍ୱର ପ୍ରଥମ ବୋନ ଗ୍ଲୁ ତିଆରି କରିଛନ୍ତି। ଏଗି ଗ୍ଲୁ ମାତ୍ର ୨-୩ ମିନିଟରେ ହାଡ଼କୁ ଯୋଡି ଦେଉଛି। ଏହି ଗ୍ଲୁ ବାୟୋଡିଗ୍ରେଡେବଲ ହୋଇଥିବା ବେଳେ ଏହାର ଉପଯୋଗ କରାଗଲେ ମେଟାଲ ଇମ୍ପ୍ଲାଣ୍ଟର ଆବଶ୍ୟକତା ପଡିବ ନାହିଁ। ବୈଜ୍ଞାନିକମାନେ ଏହି ବାୟୋ ମେଟେରିୟାଲକୁ ‘ବୋନ ୦୨’ ନାମକରଣ କରିଛନ୍ତି। ଏହା ମାତ୍ର ୬ ମାସରେ ଶରୀରେ ମିଶିଯିବ।  ସାମୁଦ୍ରିକ ସିପରୁ ଏହାକୁ ତିଆରି କରାଯାଇଛି।

ଡା.ଲିନ୍ ଜିାୟନଫେଙ୍ଗ ଦେଖିଥିଲେ ସମୁଦ୍ରରେ ପ୍ରବଳ ସ୍ରୋତ ଓ ଲହରୀରେ ସିପ ହଲୁ ନାହିଁ। ଏଣୁ ଏହାକୁ ଉପଯୋଗ କରି ରକ୍ତ ଭରା ପରିବେଶରେ ଚିପକାଯାଇ ପାରିବକି? ବୋଲି ସେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଏହି ବିଚାରରୁ ବୋନ ଗ୍ଲୁର ସୃଷ୍ଟି। ଏହି ଗ୍ଲୁ ୨୦୦ କେଜିରୁ ଅଧିକ ଓଜନିଆ ଜିନିଷକୁ ଅଠାରେ ଚିପକାଇ ରଖିବାର କ୍ଷମତା ରଖୁଛି । ସର୍ଜରୀ କାଳରେ ଏହାକୁ ଲଗାଇଲେ ଭଙ୍ଗା ହାଡ଼ ମାତ୍ର ୨-୩ ମିନିଟରେ ଯୋଡି ହୋଇ ଯାଉଛି। ପୁରୁଣା ବିଧିରେ ଏଥି ପାଇଁ ଧାତୂ ଇମ୍ପ୍ଲାଣ୍ଟ କରିବାକୁ ପଡିଥାଏ। ତେବେ ଏହାକୁ ହଟାଇବାକୁ ଦ୍ୱିତୀୟ ସର୍ଜରୀ ଆବଶ୍ୟକ ହୋଇଥାଏ। ମାତ୍ର ବୋନ ଗ୍ଲୁ ହାଡ଼ ଯୋଡି ହୋଇଯିବା ପରେ ମନକୁ ମନ ଦେହରେ ମିଶି ଯାଏ ଓ ଦ୍ୱିତୀୟବାର ସର୍ଜରୀର ଆବଶ୍ୟକତା ପଡି ନଥାଏ 

 

କିପରି କାମ କରେ ବୋନ ଗ୍ଲୁ?
ବୋନ ଗ୍ଲୁକୁ ସର୍ଜରୀରେ ଲଗାଇବା ପୂର୍ବରୁ ଏହା ଏକ ଅଠାଳିଆ ପଦାର୍ଥ ହୋଇଥାଏ। ରକ୍ତ ବହୁଥିଲେ ବି ଏହା ଖୁବ୍ ସହଜରେ ଦୃଢତାର ସହ ଲାଗିଯାଏ। ବୈଜ୍ଞାନିକମାନେ ୫୦ରୁ ଅଧିକ ଫର୍ମୂଲା ପରୀକ୍ଷଣ କରିଛନ୍ତି ଓ ଶତାଧିକ ପ୍ରୟୋଗ ମଧ୍ୟ କରିସାରିଲେଣି। ଏହି ସାମଗ୍ରୀ ବାୟୋ ସେଫ( ଶରୀର ଲାଗି ସୁରକ୍ଷିତ) ଓ ହାଡକୁ ଠିକ୍ କରିବାରେ ସହାୟତା କରିଥାଏ। ଚୀନର ବେଞ୍ଜୋଉରେ ଡା. ଲିନଙ୍କ ଟିମ୍ ଏହାକୁ ବିକଶିତ କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ରୋଗୀଙ୍କ ଉପରେ ପରୀକ୍ଷଣ କରାଯାଇଛି ଓ ସବୁ ପରୀକ୍ଷଣ ସୁରକ୍ଷିତ ଓ ପ୍ରଭାବୀ ହୋଇଛି।

ବିଶ୍ୱରେ ହାଡ଼ ଭଙ୍ଗା ଏ ମୁଖ୍ୟ ସମସ୍ୟା
ସାରା ବିଶ୍ୱରେ ପ୍ରତି ବର୍ଷ କୋଟିକୋଟି ଲୋକ ହାଡ଼ ଭାଙ୍ଗିବା ସମସ୍ୟାରେ ପଡିଥାନ୍ତି। ଏ ପର୍ଯ୍ୟନ୍ତ ଭଙ୍ଗା ହାଡ଼ ଯୋଡିବା ପାଇଁ ଥିବା ପାରମ୍ପରିକ ପଦ୍ଧତୀ ମହଙ୍ଗା ଓ ଯନ୍ତ୍ରଣାଦାୟକ। ଧାତୂ ଇମ୍ପ୍ଲାଣ୍ଟ କରାଯିବା ଯୋଗୁ ସଂକ୍ରମଣ ଅଥବା ଦ୍ୱିତୀୟବାର ସର୍ଜରୀର ଆବଶ୍ୟକତା ରହୁଛି। ବୋନ ଗ୍ଲୁ କୁ ଏବେ ଏହି ସମସ୍ୟାର ସମାଧାନ ଭାବେ  ଦେଖାଯାଉଛି। ଏହା ସମ୍ପୂର୍ଣ୍ଣ ବାୟୋଡିଗ୍ରେଡେବଲ ଓ ଶରୀର ସହ ମିଶି ଯାଉଛି। ଚୀନ୍‌ ଏଥି ପାଇଁ ଅନ୍ତର୍ଜାତୀୟ ପେଟେଣ୍ଟ (ପିସିଟି) ନିମନ୍ତେ ଆବେଦନ କରିଛି।