LIVE TV

ଲଘୁଚାପ ବର୍ଷା ଓ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୭ ଜିଲ୍ଲାପାଳଙ୍କୁ ଦେଲେ ବଡ଼ ନିର୍ଦ୍ଦେଶ

NEWS7
mohan majhi

ଭୁବନେଶ୍ୱର: ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଓ ସମ୍ଭାବ୍ୟ ବନ୍ୟାର ସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲଘୁଚାପ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସମୀକ୍ଷା ବୈଠକ କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ୩ ଟି ଜିଲ୍ଲା କୋରାପୁଟମାଲକାନଗିରି ଏବଂ କଳାହାଣ୍ଡି ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ୧୪ଟି ଜିଲ୍ଲା ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଡ୍ରେନେଜ୍ ଇଞ୍ଜିନିୟର ଏବଂ ଅଧିକାରୀମାନଙ୍କୁ ସହାୟକ କର୍ମଚାରୀ ଏବଂ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏଥି ସହିତ ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀମାନେ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।​​​​​​​

ତୁରନ୍ତ ସହାୟତା ପାଇଁ ଓଡ୍ରା ଏବଂ ଅଗ୍ନିଶମ ସେବା ୟୁନିଟଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବିଶେଷ କରି ତଳିଆ ଅଞ୍ଚଳ କିମ୍ବା ଯେଉଁଠାରେ ବନ୍ୟା ଆଶଙ୍କା ରହିଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସ୍ଥାନରେ ୟୁନିଟଗୁଡିକୁ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବାରୁ ଉକ୍ତ ଅଞ୍ଚଳ ଗୁଡିକୁ ଚିହ୍ନଟ କରି କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଥିଲେ ।

​​​​​​​