LIVE TV

ବୁଲେଟ୍ ଟ୍ରେନକୁ ନେଇ ଆସିଲା ବଡ଼ ଅପଡେଟ, ରେଳ ମନ୍ତ୍ରୀ କହିଲେ କେବେଠୁ ଆରମ୍ଭ ହେବ ସେବା

NEWS7
Big update on bullet train

ନୂଆଦିଲ୍ଲୀ: ଭାରତରେ ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ ଦୀର୍ଘ ଦିନରୁ ପ୍ରସ୍ତୁତି ଜାରି ରହିଛି। ଏହାରି ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ କହିଛନ୍ତି, ଗୁଜରାଟର ସୁରତ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ୫୦ କିଲୋମିଟର ସେକ୍ସନ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏବଂ ସମ୍ପୂର୍ଣ୍ଣ ମୁମ୍ବାଇ-ଅହମ୍ମଦାବାଦ ଲାଇନ ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହା କାର୍ଯ୍ୟକ୍ଷମ ହେବା ପରେ ମୁମ୍ବାଇରୁ ଅହମ୍ମଦାବାଦ ପହଞ୍ଚିବାକୁ ମାତ୍ରା ୨ ଘଣ୍ଟା ୭ ମିନିଟ୍ ସମୟ ଲାଗିବ।

ସୂଚନାଥାଉକି, ଶନିବାର ରେଳମନ୍ତ୍ରୀ ସୁରତ ଷ୍ଟେସନ ପରିଦର୍ଶନ କରିଥିଲେ। ଏଠାରେ ସେ ବୁଲେଟ୍ ଟ୍ରେନ୍ ପାଇଁ ବିଛାଯାଉଥିବା ଟ୍ରାକ୍ କାମର ତଦାରଖ କରିଥିଲେ। ରେଳ ମନ୍ତ୍ରୀ କହିଛନ୍ତି ପ୍ରକଳ୍ପ ବହୁତ ଭଲ ଭାବରେ ଅଗ୍ରଗତି କରୁଛି। ୨୦୨୭ରେ ସୁରଟ-ବିଲିମୋରା ସେକ୍ସନ, ୨୦୨୮ରେ ଥାନେ-ଅହମ୍ମଦାବାଦ ସେକ୍ସନ ଏବଂ ସମଗ୍ର ଲାଇନ ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ମୁଖ୍ୟ ଲାଇନ ୩୨୦ କିଲୋମିଟର/ଘଣ୍ଟା ବେଗ ପାଇଁ ଡିଜାଇନ୍ କରାଯାଇଛି। ସେହିଭଳି ଲୁପ୍ ଲାଇନ ୮୦ କିଲୋମିଟର/ଘଣ୍ଟା ବେଗରେ କାର୍ଯ୍ୟ କରିବ। ସୁରକ୍ଷା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ଯେଉଁଥିରେ କମ୍ପନ ହ୍ରାସ ପ୍ରଣାଳୀ ଏବଂ ଉଚ୍ଚ ପବନ ଏବଂ ଭୂମିକମ୍ପରୁ ସୁରକ୍ଷା ଦେବାଭଳି ବ୍ୟବସ୍ଥା ରହିଛି। ସୁରତ ଷ୍ଟେସନରେ ପ୍ରମୁଖ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଟ୍ରାକ୍ ଲିଙ୍କିଂ, ଫିନିସିଂ ଏବଂ ୟୁଟିଲିଟି କାର୍ଯ୍ୟ ଚାଲିଛି।

ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ରକଳ୍ପ କରିଡର ସହିତ ଥିବା ସହରଗୁଡ଼ିକର ଅର୍ଥନୀତିକୁ ସଂଯୋଗ କରିବ ଏବଂ ଜାପାନର ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ପରି ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବ। ଏହି ଅବସରରେ ସେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରାଯାଇଥିବା ଆହୁରି ଚାରୋଟି ବୁଲେଟ୍ ଟ୍ରେନ୍ କରିଡରର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ବୁଲେଟ୍ ଟ୍ରେନ୍ ଷ୍ଟେସନ୍

ସୁରତର ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଆଧୁନିକ ଏବଂ ସୁବିଧାଜନକ ହେବ। ଏଥିରେ ବିଭିନ୍ନ ପ୍ରକାରର ସୁବିଧା ରହିବ, ଯେପରିକି ଏକ ଓ୍ବେଟିଂ ଲାଉଞ୍ଜ (ପ୍ରତୀକ୍ଷା ସ୍ଥଳ), ନର୍ସରୀ, ଶୌଚାଳୟ ଏବଂ ରିଟେଲ ଦୋକାନ। ଲିଫ୍ଟ ଏବଂ ଏସ୍କେଲେଟର ସମସ୍ତଙ୍କ ପାଇଁ ସହଜ ପ୍ରବେଶ ସୁନିଶ୍ଚିତ କରିବ। ବୟସ୍କ, ଦିବ୍ୟାଙ୍ଗ ଏବଂ ଛୋଟ ପିଲା ଥିବା ପରିବାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ, ଯେଉଁଥିରେ ସ୍ୱତନ୍ତ୍ର ସାଇନବୋର୍ଡ, ସୂଚନା କିଓସ୍କ ଏବଂ ଏକ ସାର୍ବଜନୀନ ଘୋଷଣା ବ୍ୟବସ୍ଥା ଇତ୍ୟାଦି ରହିବ।