News7 Logo

ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଭାରତ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଲେ ଏହି ଷ୍ଟାର ଖେଳାଳି

NEWS7

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ଲାଗିଲା ବଡ଼ ଝଟକା। ଭାରତ ବିପକ୍ଷ ଦିନିକିଆ ସିରିଜ୍ ଓ ଟି-୨୦ ସିରିଜ୍ ପୂର୍ବରୁ ଆହତ କରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ତାରକା ଦ୍ରୁତ ବୋଲର ତଥା ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ପାଟ୍ କମିନ୍ସ। କ୍ରିକେଟ୍ ଅଷ୍ଟ୍ରେଲିଆ ମଙ୍ଗଳବାର ଏହାର ସୂଚନା ଦେଇଛି। ପାଟ୍ କମିନ୍ସପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ପୁନଃଥଇଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ବୋର୍ଡ ଏମିତି ନିଷ୍ପତ୍ତି ଚଳିତ ବର୍ଷର ଶେଷ ଆଡ଼କୁ ଇଂଲଣ୍ଡ ବିପକ୍ଷ ଆସେସ୍ ସିରିଜ୍‌କୁ ଦୃଷ୍ଟିରେ ରଖି ନିଆଯାଇଛି।

କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ଵାରା ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପାଟ୍ କମିନ୍ସଙ୍କ କାର୍ଯ୍ୟଭାର ପ୍ରବନ୍ଧନ ଓ ତାଙ୍କ ଫିଟନେସକୁ ଗୁରୁତ୍ଵ ଦିଆଯାଉଛି। ତେଣୁ ପାଟ୍ କମିନ୍ସଙ୍କୁ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ୍ ପାଇଁ ଦଳରେ ଚୟନ କରାଯାଇ ନାହିଁ। ଏହି ସମୟରେ ସେ ରିହାବିଲିଟେସନରେ ରହି ନିଜର ଫିଟନେସ୍ ଉପରେ ଧ୍ୟାନ ଦେବେ। ବୋର୍ଡର ମୁଖ୍ୟ ଲକ୍ଷ୍ୟ ଏହା ସୁନିଶ୍ଚିତ କରିବା ଯେ, କମିନ୍ସ ଅଧିନାୟକ ଏବଂ ବୋଲର ଭାବେ ଆସେସ୍ ସିରିଜ୍ ସମୟରେ ସଂପୂର୍ଣ୍ଣ ଫିଟ୍ ରୁହନ୍ତୁ। ଆସେସ୍ ସିରିଜ୍ ନଭେମ୍ବର ୨୧ରେ ଆରମ୍ଭ ହେଉଛି।

କମିନ୍ସଙ୍କ ଅନୁପସ୍ଥିତି କ୍ରିକେଟ୍ ଅଷ୍ଟ୍ରେଲିଆ ପାଇଁ ବଡ଼ ଝଟକା, କାରଣ ସେ କେବଳ ଜଣେ ବୋଲର ଭାବେ ନୁହେଁ ବରଂ ଅଧିନାୟକ ଭାବେ ଦଳକୁ ମଜବୁତ କରନ୍ତି। ସେମିତିରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଆଗାମୀ କ୍ୟାଲେଣ୍ଡର ବହୁତ ବ୍ୟସ୍ତବହୁଳ ରହିଛି। କାରଣ ଅଷ୍ଟ୍ରେଲିଆକୁ ଅକ୍ଟୋବର ୧ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବାକୁ ପଡ଼ିବ। ଏହା ପରେ ଘରୋଇ ମାଟିରେ ଭାରତ ସହିତ ୩ ଦିନିକିଆ ଓ ୫ ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଦୁଇ ସିରିଜ୍ ଟି-୨୦ ବିଶ୍ଵକପ୍ ୨୦୨୬ର ପ୍ରସ୍ତୃତି ଦୃଷ୍ଟିରୁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି।