News7 Logo

ବିସର୍ଜନ ଶୋଭାଯାତ୍ରାରେ ଡିଜେ ଲଢ଼େଇ ଘଟଣା, ଗାଡ଼ି ସହ ଲାଇଟ୍‌ ସାଉଣ୍ଡ୍‌ ସିଷ୍ଟମ ସିଜ୍ କଲା ପୋଲିସ

NEWS7
DJ Vehicle

​​​​​​​ଦିଗପହଣ୍ଡି: ବ୍ରହ୍ମପୁର ଫୁଲଟାରେ ବିସର୍ଜନବେଳେ ଦୁଇ ଡିଜେ ଲଢ଼େଇ ଘଟଣାଡିଜେ ମାଲିକଙ୍କ ଘରେ ଚଢ଼ାଉ କରିଛି ପୋଲିସ। ବାଲିପଡ଼ା ବଜରଙ୍ଗୀ ଡିଜେ ଏବଂ ଗୌତମୀ ପଂଚାୟତ ପଦ୍ମତୋଳା ରାହୁଲ ଡିଜେ ମାଲିକଙ୍କ ଘରେ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ଡିଜେରେ ବ୍ୟବହୃତ ହୋଇଥିବା ସମସ୍ତ ସାଉଣ୍ଡ ଓ ଲାଇଟ ସାମଗ୍ରୀ ସହ ଜେନେରେଟର ଓ ଗାଡ଼ିକୁ ନେବା ସହ ଘରକୁ ସିଜ୍ କରିଛି ପ୍ରଶାସନ। ଏହା ସହ ଉଭୟ ମାଲିକ ଓ ପୂଜା କମିଟି ନାଁରେ ପ୍ରଶାସନ କେସ୍‌ ରୁଜୁ କରି ଉଭୟ ମାଲିକଙ୍କୁ ପଚରାଉଚରା କରାଯାଉଛି

ଚଢ଼ାଉରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିଷେକ କୁମାର, ସାନଖେମୁଣ୍ଡି ତହସିଲଦାର, କୁକୁଡ଼ାଖଣ୍ଡି ତହସିଲଦାର, ସଦର ଥାନା ପୋଲିସର ସ୍ୱତନ୍ତ୍ର ଟିମ ସହ ପୋଲିସ ଫୋର୍ସ ସାମିଲ ରହିଥିଲେ।

ସୂଚନାଥାଉକି, ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଉପଖଣ୍ଡ ନିମଖଣ୍ଡି ଥାନା ଫୁଳଟା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଚାଲିଥିଲା। ହେଲେ ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଲଢ଼େଇ। ଦୁଇ ଡିଜେ ଗାଡ଼ି ମଧ୍ୟରେ ଶବ୍ଦକୁ ନେଇ ପ୍ରଥମେ ପ୍ରତିଯୋଗିତା ହୋଇଥିଲା । କିଛି ସମୟ ପରେ ଉଭୟ ପରସ୍ପରକୁ ଧକ୍କା ଦେଇଥିଲେ ।

ଥରେ କି ଦିଥର ନୁହେଁ, ରାତି ୧୦ ଟାରୁ ୧୧ଟା ପର୍ଯ୍ୟନ୍ତ ଏଭଳି ଚାଲିଥିଲା । ଉଭୟ ଗାଡ଼ିରୁ କିଛି ଲାଇଟ୍‌ ଭାଙ୍ଗି ଖସିପଡିଥିଲା । ସାଉଣ୍ଡ ବକ୍ସ ବି ଭାଙ୍ଗି ଯାଇଥିଲା । ଏମିତି ଲଢ଼େଇ ଚାଲିଲା ଯେ, ଡିଜେ ଉପରେ ବସିଥିବା କିଛି ଯୁବକ ତଳକୁ ଖସି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମର କିଛି ଭଦ୍ରଲୋକ ଆସି ଉଭୟ ଡିଜେକୁ ପାଟିତୁଣ୍ଡ କରି ବିସର୍ଜନ ଶୀଘ୍ର ସାରିବାକୁ କହିଥିଲେ । ପରେ ଗହଳି ହଟିଥିଲା ଏବଂ ବିସର୍ଜନ ହୋଇଥିଲା ।