କୁଇନ୍ସଲାଣ୍ଡ: ଏଠାରେ ଖେଳା ଯାଉଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟର ନିରାଶ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ଵିକେଟ୍ ହରାଇ ୧୬୭ ରନ କରିଛି। ଶୁଭମନ ଗିଲ ସର୍ବାଧିକ ୪୬ ରନ କରିଛନ୍ତି। ଅଭିଷେକ ଶର୍ମା ୨୮ ରନ କରିଥିଲେ। ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ୧୬୮ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ନାଥନ ଏଲିସ ଓ ଆଡମ ଜାମ୍ପା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତର ଓପନର ଅଭିଷେକ ଓ ଶୁଭମନ ଗିଲ୍ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ। ଉଭୟ ୫୬ ରନ ଯୋଡ଼ିଥିଲେ ହେଁ ୪୦ ବଲ୍ ଖେଳିଥିଲେ। ଅଭିଷେକ ୨୧ ବଲରୁ ୨୮ ରନ କରିଥିଲେ। ଉପର କ୍ରମରେ ବ୍ୟାଟିଂର ସୁଯୋଗ ପାଇଥିବା ଶିବମ ଦୁବେ ୨୨ ରନ କରିଥିଲେ। ଏହା ପରେ ଗିଲ୍ ୩୯ ବଲରୁ ୪୬ ରନ କରିଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ ବ୍ୟାଟର।

ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ୧୦ ବଲରୁ ୨୦ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ତିଳକ ବର୍ମା(୫), ଜିତେଶ ଶର୍ମା(୩) ଓ ଓ୍ଵାଶିଂଟନ ସୁନ୍ଦର(୧୨) ବିଫଳ ହୋଇଥିଲେ। ଶେଷ ଆଡ଼କୁ ଅକ୍ଷର ପଟେଲ୍ ୧୧ ବଲରୁ ୨୧ ରନ କରିବାରୁ ଭାରତ ୮ ଓ୍ଵିକେଟ୍ ହରାଇ ୧୬୭ ରନ କରି ପାରିଛି।