News7 Logo

ବ୍ରିଟେନରେ ମିଳିଲା ୮୦ ଫୁଟ୍ ଲମ୍ୱ ସାମୁଦ୍ରିକ ଜୀବର ଜୀବାଶ୍ମ...ନିଜ ସମୟରେ ଥିଲେ ସବୁଠୁ ବଡ଼ ଶିକାରୀ

NEWS7

ନୂଆଦିଲ୍ଲୀ: ହଜାର ହଜାର ବର୍ଷ ପୂର୍ବେ ଦୁନିଆରେ କ'ଣ କ'ଣ ଘଟିଥିଲା ? କେଉଁମାନେ ସେହି ସମୟରେ ଦୁନିଆରେ ବାସ କରୁଥିଲେ ? ଆଜି ବି ତାହା ମଣିଷ ପାଇଁ ଗବେଷଣର ବିଷୟ । ଏହାରି ଭିତରେ ବୈଜ୍ଞାନିକମାନେ ଇତିହାସର ଏପରି ଏକ ଜୀବର ସନ୍ଧାନ ପାଇଛନ୍ତି, ଯାହାର ଆକାର ଆଜିର ସମୟରେ ଔର୍କା ତିମିଠାରୁ ମଧ୍ୟ ବଡ଼ ଥିଲା। ୨୦୦ ନିୟୁତ ବର୍ଷ ପୂର୍ବେ, ସମୁଦ୍ରରେ ଏକ ବିଶାଳକାୟ ପ୍ରାଣୀ ଥିଲା । ଯାହା ସେହି ସମୟର ଔର୍କା ତିମି ପରି ବଡ଼ ଶିକାରୀ ଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଇଚଥିଓଟାଇଟାନ୍ ସେଭେରେନ୍ସିସ୍ ନାମକ ଏହି ପ୍ରାଣୀ ପ୍ରାୟ ୮୦ ଫୁଟ ଲମ୍ବା ଥିଲା । ଏହା ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସବୁଠାରୁ ବଡ଼ ଇଚଥିଓସର ବୋଲି ବିଶ୍ୱାସ କରାଯାଏ ।

ବ୍ରିଟେନରେ ମିଳିଥିବା ପାଟିର ଜୀବାଶ୍ମ ବୈଜ୍ଞାନିକମାନଙ୍କୁ ସେହି ସମୟର ସାମୁଦ୍ରିକ ଜଗତକୁ ନେଇ ନୂଆ ଦୃଷ୍ଟିକୋଣ ଦେଇଛି । ଉଲ୍ଲେଖଯୋଗ୍ୟ, ଇଚଥିଓସର ହେଉଛନ୍ତି ବିଲୁପ୍ତ ସାମୁଦ୍ରିକ ସରୀସୃପ । ଏହା ପ୍ରାୟ ୨୫୦ ନିୟୁତ ବର୍ଷ ପୂର୍ବେ ଟ୍ରାଇସିକ୍ ଯୁଗରୁ ୯୦ ନିୟୁତ ବର୍ଷ ପୂର୍ବେ କ୍ରେଟାସିୟସ୍ ଯୁଗ ପର୍ଯ୍ୟନ୍ତ ଅସ୍ତିତ୍ୱରେ ଥିଲେ । ଇଚଥିଓସରମାନେ ସମୁଦ୍ରର ପ୍ରାଚୀନ ତିମି ପରି ସରୀସୃପ ଥିଲେ ନିଜ ସମୟରେ ସେମାନଙ୍କ ସବୁଠାରୁ ଦ୍ରୁତ ଏବଂ ଶକ୍ତିଶାଳୀ ଶିକାରୀ ଥିଲେ । ଲଣ୍ଡନର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଅନୁଯାୟୀ, ୨୦୧୮ରେ ବ୍ରିଟିଶ ଜୀବାଶ୍ମ ବିଜ୍ଞାନୀ ଡକ୍ଟର ଡିନ୍ ଲୋମାକ୍ସ ଏବଂ ତାଙ୍କ ଦଳ ପ୍ରଥମ ଥର ପାଇଁ ପାଟି ହାଡର ଏକ ଖଣ୍ଡ ପାଇଥିଲେ ।

ଇଚଥିଓଟାଇଟାନର ଆକାର ଆଜିର ଫିନ୍ ତିମି ସହିତ ସମାନ ଏବଂ ଔର୍କା ତିମି ଅପେକ୍ଷା ବହୁତ ବଡ଼ । ଔର୍କା ସର୍ବାଧିକ 30 ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଫିନ୍ ତିମି ପ୍ରାୟ ୮୫ ଫୁଟର ହୋଇଥାଏ । ଏହା ସ୍ପଷ୍ଟ କରୁଛି ଯେ ସ୍ତନ୍ୟପାୟୀ ପ୍ରାଣୀଙ୍କ ପୂର୍ବରୁ ମଧ୍ୟ ଟ୍ରାଇସିକ୍ ଯୁଗର ସମୁଦ୍ରରେ ବିଶାଳ ପ୍ରାଣୀ ଉପସ୍ଥିତ ଥିଲେ ବୈଜ୍ଞାନିକଙ୍କ ମତରେ ଇଚଥିଓଟାଇଟାନ୍ ସେଭେରେନ୍ସିସର ଆବିଷ୍କାର ଦର୍ଶାଉଛି ଯେ ଟ୍ରାଇସିକ୍ ଯୁଗରେ ସମୁଦ୍ରରେ ଏପରି ଶିକାରୀ ଥିଲେ ଯେଉଁମାନେ ସେହି ସମୟର ଖାଦ୍ୟ ଶୃଙ୍ଖଳାର ସବୁଠୁ ଉପରେ ରହୁଥିଲେ । 

ବୈଜ୍ଞାନିକମାନେ ଏହାର ବିଶାଳତା ଦେଖି ପ୍ରଥମେ ଏକ ଡାଇନୋସର ହାଡ଼ ବୋଲି ଭାବିଥିଲେ । କିନ୍ତୁ ଅଧିକ ଗବେଷଣା ପରେ ଏହା ଇଚଥିଓସରର ଏକ ଅଂଶ ବୋଲି ଜଣାପଡ଼ିଥିଲା । ୨୦୨୦ରେ ବୈଜ୍ଞାନିକମାନେ ସମରସେଟର ଉପକୂଳରେ ଦ୍ୱିତୀୟ ପାଟି ଖଣ୍ଡ ଆବିଷ୍କାର କରିଥିଲେ । ନୂଆ ଆବିଷ୍କାର ପୂର୍ବ ଅପେକ୍ଷା ଅଧିକ ସଂରକ୍ଷିତ ଥିଲା । ଅଧ୍ୟୟନ ପରେ ଉଭୟ ଜୀବାଶ୍ମକୁ ସମାନ ପ୍ରଜାତିର ବୋଲି ବିବେଚନା କରାଯାଇଥିଲା । ୨୦୨୪ରେ ଇଚଥିଓଟାଇଟାନ୍ ସେଭେରେନ୍ସିସ୍ ନାଁରେ ନୂଆ ନାମକରଣ କରାଯାଇଥିଲା । ପାଟିର ଲମ୍ବ ଛଅ ଫୁଟରୁ ଅଧିକ ଥିଲା, ଯାହାକୁ ନେଇ ପ୍ରାଣୀର ମୋଟ ଲମ୍ବ ୮୦ ଫୁଟ ପର୍ଯ୍ୟନ୍ତ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଥିଲେ ।