LIVE TV

ଏସିଆ କପ୍ ଫାଇନାଲର ସମସ୍ତ ଟିକେଟ୍ ବିକ୍ରି, ୨ ସପ୍ତାହରେ ଥମିଗଲା ବହିଷ୍କାର କ୍ୟାମ୍ପେନ

NEWS7
IND vs PAK

ନୂଆଦିଲ୍ଲୀ: ଏସିଆ କପ୍‌ ଇତିହାସରେ ପ୍ରଥମ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମ୍ୟାଚ୍‌କୁ ଆଉ ଅଳ୍ପ ସମୟ ବାକି ରହିଛି। ପହଲଗାମ ଆତଙ୍କୀ ହମଲା ବିରୋଧରେ ଭାରତରେ ଏକ ବଡ଼ ଭାଗ ପାକିସ୍ତାନ ସହିତ ମ୍ୟାଚ୍ ସହିତ ଏସିଆ କପ୍ ବହିଷ୍କାର ଦାବି କରୁଥିଲେ। ଆଉ ଏହାର ପ୍ରଭାବ ପ୍ରଥମ ଦୁଇଟି ମ୍ୟାଚରେ ଆଂଶିକ ଭାବେ ଦେଖିବାକୁ ମିଳିଥିଲା। ଷ୍ଟାଡିୟମ ସଂପୂର୍ଣ୍ଣ ଭର୍ତ୍ତି ନ ଥିଲା। ମାତ୍ର ଫାଇନାଲ୍‌ ପାଇଁ ମାହୋଲ ବଦଳି ଯାଇଛି। ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୮ ମଧ୍ୟରେ ପରିସ୍ଥିତି ଏବଂ ମାହୋଲ ଏମିତି ବଦଳିଛି ଯେ, ଦୁବାଇରେ ହେବାକୁ ଥିବା ଫାଇନାଲ୍‌ ମୁକାବିଲାର ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି।

ନ୍ୟୁଜ ୧୮ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୪ରେ ଯେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ହୋଇଥିଲା, ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମ ପହଞ୍ଚିଥିଲେ। ପରେ ସେପ୍ଟେମ୍ବର ୨୧ ସୁପର ୪ ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ଆହୁରି ହ୍ରାସ ପାଇ ୧୭ ହଜାରକୁ ଖସି ଆସିଥିଲା। ଏବେ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇ ସାରିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ସମସ୍ତ ୨୮ ହଜାର ସିଟ୍ ବୁକ୍ ହୋଇ ସାରିଛି ଅର୍ଥାତ ଷ୍ଟାଡିୟମ ପୂରା ଭର୍ତ୍ତି।

ଭାରତୀୟ ଦଳ ଜବରଦସ୍ତ ଫର୍ମରେ ଅଛି। ଏହାକୁ ଦେଖି ଆଶା କରାଯାଉଛି ଯେ, ଦଳ ଫାଇନାଲ୍‌ରେ ମଧ୍ୟ ପାକିସ୍ତାନକୁ ମାତ୍ ଦେବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଅଜେୟ ରହିଛି ଟିମ୍ ଇଣ୍ଡିଆ। ଦଳ ଏସିଆ କପରେ ଏ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍ ଜିତି ସାରିଛି। ଚଳିତ ବର୍ଷ ଭାରତ ଏ ପର୍ଯ୍ୟନ୍ତ ୧୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୦ଟି ଜିତିଛି। ଏହି ଫର୍ମାଟ୍‌ରେ ମାତ୍ର ଗୋଟିଏ ପରାଜୟ ଇଂଲଣ୍ଡ ବିପକ୍ଷରେ ଜାନୁଆରୀ ୨୮ରେ ରାଜକୋଟରେ ହୋଇଥିଲା।