ଭୁବନେ: ଜନସାଧାରଣ ଯେତେ ସଚେତନ ହେଲେ ମଧ୍ୟ ସାଇବର ଲୁଟେରାଙ୍କ କବଳରୁ ରକ୍ଷା ପାଇପାରୁନାହାନ୍ତି। କାହାକୁ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ କହି ଲୁଟୁଛନ୍ତି ତ କାହାକୁ ଲକିଡ୍ର ଜିତିବାର ଲୋଭ ଦେଖାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଶୁକ୍ରବାର ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ତେଲ ପକାଇ ପେମେଣ୍ଟ ଦେବା ସମୟରେ ବାରକୋର୍ଡ ସ୍କାନି କରିବା ସମୟରେ ୯୫ ହଜାର ଟଙ୍କା ହରାଇଛନ୍ତି। ଘଟଣାଟି ଧଉଳି ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗ ଅନୁଯାୟୀ, ବାଳକାଟି ଫାଣ୍ଡି ଅଠରଘରିଆ ସାହିର ସୁନାକର ସାହୁ ଶୁକ୍ରବାର ଅପରାହ୍ନ ସାଢେ ୧ ଟାରୁ ୨ ଟା ମଧ୍ୟରେ ଏହି ଥାନା ନୂଆଗାଁ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ୬୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ। ପେଟ୍ରୋଲ ପକାଇବା ପରେ କର୍ମଚାରୀ ଦେଖାଇଥିବା ବାରକୋର୍ଡରେ ଫୋନ ପେ ମାଧ୍ୟମରେ ପଇସା ପଠାଉଥିଲେ। ଏହି ସମୟରେ ସୁନାକରଙ୍କ ଫୋନ ଟି ହ୍ୟାଙ୍ଗ ହୋଇଥିଲା I ଫୋନ ଖୋଲିବାରେ ବିଳମ୍ବ ହେବାରୁ ସୁନାକର ଏଟିଏମରୁ ୬୦୦ ଟଙ୍କା ଉଠାଇ କର୍ମଚାରୀଙ୍କୁ ଦେଲେ। ସେ ଫୋନ ବନ୍ଦ କରି ଖୋଲିବା ପରେ ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଉଠିଥିବା ମେସେଜ ଆସିଥିଲା । ସେ ଫୋନ ପେ ଚେକ୍ କରିବା ପରେ ଏହି ପଇସା ଉଠାଇବାକୁ ସାଇବର ଠକମାନେ ୩ଥର ପ୍ରୟାସ କରିଥିବା ଜାଣିବାକୁ ପାଇଥିଲେ ।

ସାଇବର ଠକମାନେ ପ୍ରଥମ ଥର ୯୭ ହଜାର, ଦ୍ଵିତୀୟ ଥର ୯୬ ହଜାର ଟଙ୍କା ଉଠାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତୃତୀୟ ଥର ୯୫ ହଜାର ଟଙ୍କା ଉଠାଇବାରେ ସଫଳ ହୋଇଛନ୍ତି। ଏନେଇ ସୁନାକର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି।