LIVE TV

ବୁନ୍ଦେଲଖଣ୍ଡ ତାରାମାଈ ମନ୍ଦିରରେ ମହୁମାଛି ଆକ୍ରମଣରେ ୮ ଆହତ

NEWS7
bee atack

ନିଭାଡି ୨୮।୯: ବୁନ୍ଦେଲଖଣ୍ଡ ନିବାଡି ଜିଲ୍ଲାର ପ୍ରସିଦ୍ଧ ତାରା ମାଈ ମନ୍ଦିରରେ ରବିବାର ମହୁମାଛି ଆକ୍ରମଣ କରିବା ଯୋଗୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହୋଇଛି। ଫଳରେ ଶିଶୁ ଓ ମହିଳାଙ୍କ ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଝାନସୀ ମେଡିକାଲ କଲେଜ ରେଫର କରାଯାଇଛି। କୁହାଯାଉଛି ମନ୍ଦିରରେ ହବନ ହେଉଥିଲା। ଏହି ହବନ ଧୂଆଁରେ ଅସ୍ତବ୍ୟସ୍ତ ମହୁମାଛି ଭକ୍ତଙ୍କୁ ଆକ୍ରମଣ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ ଓରଛା ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ମହୁମାଛି ରହୁଛନ୍ତି। ଏଥିରେ ତାରା ମାଈ ମନ୍ଦିର ପାହାଡ଼ ଉପରେ ରହିଛି। ସେଠାରେ ହବନ ଯୋଗୁ ଧୂଆଁ ଉଠିବାରୁ ମହୁମାଛି ଲୋକଙ୍କୁ ଆକ୍ରମଣ କରିଛନ୍ତି। ଆହତ ଭକ୍ତମାନଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ପୃଥ୍ୱୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଝାନସୀ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ଆହତଙ୍କ ମଧ୍ୟରେ ଇନ୍ଦୋର ବାସିନ୍ଦା ବାବୁଲାଲ କହିଛନ୍ତି ଯେ ତାଙ୍କ ପରିବାର ପ୍ରଥମେ ଗ୍ୱାଲିୟର ଯାଇଥିଲା। ସେଠାରୁ ସେମାନେ କୂଳଗୁରୁ ଦେବୀ ତାରା ମାଈଙ୍କ ମନ୍ଦିରକୁ ଆସିଥିଲେ। ମନ୍ଦିରରେ ହବନ ପୂଜନ ହୋଇଥିଲା। ହବନ ପରେ ଯେମିତି ସମସ୍ତେ ଖାଇବାକୁ ବସିଛନ୍ତି ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ନିଜେ ବାବୁ ଲାଲ, ତାଙ୍କ ମା ଗୋମତୀ ବାଈ, ଯମୁନା ପ୍ରସାଦ, ଅନିତା, ଉମେଶ, କାର୍ତିକ, ଗୌରୀ(୮) ଓ ନିତିନ(୧୩) ଆହତ ହୋଇଛନ୍ତି।