News7 Logo

ଖାକିରେ ପୁଣି ଲାଗିଲା ଦାଗ : ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ୩ ହୋମଗାର୍ଡ ସମେତ ୭ ଅଭିଯୁକ୍ତ ଗିରଫ

NEWS7
Arrest

ରାୟଗଡ଼ା ୨: ଖାକିରେ ପୁଣି ଲାଗିଲା ଦାଗ । ଜଣେ ବ୍ୟବସାୟୀଙ୍କ ଠାରୁ ଜୋରଜବରଦସ୍ତ ପୋଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖାଲି ଏତିକି ନୁହେଁ  ୩ ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ କଲ୍ୟାଣସିଂହପୁର ଓ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ର କରକରିଆ, ତାମନା ବିଡିକା ଓ ଦିଲିପ ଗରଡିଆକୁ ଟାଉନ୍ ଥାନା ପୋଲିସ ଗିରଫ କରିଛି । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ବୁଲେଟ୍ ଗାଡି ସମେତ ୬ଟି ମୋବାଇଲ ଏବଂ ଗୋଟେ ମୋଟର ସାଇକେଲ ସହିତ ୨ ଲକ୍ଷ  ୮୪ ହଜାର ଟଙ୍କା ନଗଦ ଜବତ କରିଛି ରାୟଗଡା ପୋଲିସ ।

ସୋମବାର ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡି ନାମକ ଜଣେ ବ୍ୟବସାୟୀ ଜୟପୁରରୁ ରାୟଗଡା ଅଭିମୁଖେ ଆସୁଥିଲେ । ତେବେ ରାଫକୋଣା ଛକରେ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ୩ ଜଣ ମିଳିତ ହୋଇ ବ୍ୟବସାୟୀ ଜଣକୁ ପୋଲିସର ଭୟ ଦେଖାଇଥିଲେ । ପରେ ତାଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ । ତେବେ ଏନେଇ ବ୍ୟବସାୟୀ ଉମା ରେଡ୍ଡି ଥାନାରେ ଅଭିଯୋଗ କରିବା ପରେ ଟାଉନ୍ ଥାନା ପୋଲିସ ତନାଘନା ଆରମ୍ଭ କରିଥିଲା । ୩ ଜଣ ହୋମଗାର୍ଡଙ୍କ ସମେତ ଅନ୍ୟ ୪ ଜଣକୁ ଅଟକ ରଖି ପଚରାଉଚରା କରିଥିଲା । ପରେ ସତ୍ୟ ପ୍ରମାଣିତ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ  ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାକୁ ନେଇ ଖୋଳତାଡ କରାଯାଉଛି ବୋଲି ରାୟଗଡା ଅତିରିକ୍ତ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।