News7 Logo

ନେପାଳ ଜେଲରେ ଗୁଳିକାଣ୍ଡ, ୫ ମୃତ, ରାସ୍ତାକୁ ଓହ୍ଲାଇଲା ସେନା, ଲାଗିଲା କର୍ଫ୍ୟୁ

NEWS7
jail

କାଠମାଣ୍ଡୁ ୧୦/୦୯: ଗଭୀର ରାଜନୈତିକ ଓ ସାମାଜିକ ସଙ୍କଟର ସମ୍ମୁଖୀନ ହେଉଛି ନେପାଳ । ଦୁର୍ନୀତି ବିରୋଧୀ ପ୍ରତିବାଦ ଓ ସୋସିଆଲ ମିଡିଆ ପ୍ରତିବନ୍ଧକ ଉପରେ ସାଧାରଣ ପ୍ରତିବାଦ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହି ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୧୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଶତାଧିକ ଆହତ ହୋଇଛନ୍ତି ।

ଏହାରି ଭିତରେ ଜେଲରେ ଗୁଳିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଚିତୱାନରେ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି । ନେପାଳରେ ସେନା କର୍ଫ୍ୟୁ ଜାରି କରିଛି । କାଠମାଣ୍ଡୁର ବିକ୍ଷୋଭକାରୀ କେପି ଶର୍ମା ଓଲିଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଆମେ କେପି ଶର୍ମା ଓଲିଙ୍କୁ ହତ୍ୟା କରିବାକୁ ଚାହୁଁଥିଲୁ । କିନ୍ତୁ ସେ ଦେଶ ଛାଡି ପଳାଇ ଯାଇଛନ୍ତି। ଆମେ ଅନ୍ୟ ନେତାମାନଙ୍କୁ ଧରିଥିଲୁ।

ହଜାର ହଜାର ବିକ୍ଷୋଭକାରୀ ସରକାରୀ କୋଠାରେ ଧସେଇ ପଶିଥିଲେ । ଅନେକ ସ୍ଥାନରେ ପୋଡ଼ାଜଳା ଘଟଣା ଘଟିଥିବା ରିପୋର୍ଟ ହୋଇଛି। ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ, ନିର୍ବାଚନ କାର୍ଯ୍ୟାଳୟ, କୋର୍ଟ ଏବଂ ଅନ୍ୟାନ୍ୟ ସରକାରୀ କୋଠା ପୋଡ଼ି ଦିଆଯାଇଥିଲା। ସ୍ଥାନୀୟ ରାଜନୈତିକ ଦଳ ଏବଂ ସୁପରମାର୍କେଟର କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲାଗିଯାଇଥିଲା। ପରିସ୍ଥିତି ଖରାପ ହେବା ସହିତ, ପ୍ରମୁଖ ସହରଗୁଡ଼ିକରେ ନେପାଳ ସେନା ମୁତୟନ କରାଯାଇଛି, ଯାହା ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି।