ଆପଣଙ୍କ ଚାକିରି କେତେ ସୁରକ୍ଷିତ? ବିପଦରେ ୪୦ ସେକ୍ଟର, ମାଇକ୍ରୋସପ୍ଟର ଦେଲା ବଡ଼ ଚେତାବନୀ

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: ଆପଣଙ୍କ ଚାକିରି କେତେ ସୁରକ୍ଷିତ? ମଣିଷଙ୍କ ସ୍ଥାନ ନେବ AI। ବିପଦରେ ୪୦ ସେକ୍ଟର। ମାଇକ୍ରୋସପ୍ଟର ବଡ଼ ଚେତାବନୀ। 

AI ଯୋଗୁଁ ମଣିଷ ଚାକିରି ହରାଇବା ଭବିଷ୍ୟତର କଥା ନୁହେଁ। ବରଂ ଏବେ ଆରମ୍ଭ ହୋଇଛି। ଆଗକୁ ସ୍ଥିତି ଆହୁରି ହେବ ସଙ୍ଗୀନ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ପାଇଁ ବିପଦରେ ୪୦ ସେକ୍ଟରର ଚାକିରି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି Microsoftର ଏକ ଷ୍ଟଡି ରିପୋର୍ଟ। AI ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ଚାକିରିଗୁଡ଼ିକ ମଧ୍ୟରେ ଅଛନ୍ତି ଅନୁବାଦକ, ଲେଖକ ଏବଂ ଇତିହାସକାର। ଆହୁରି ଅନେକ ଚାକିରି ଅଛି ଯାହା କୃତ୍ରିମ ବୁଦ୍ଧିମତ୍ତା ପାଇଁ ବିପଦରେ। ଏଗୁଡ଼ିକ ମଧ୍ୟରେ ୪୦ଟି ସେକ୍ଟର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନ୍ୟ ୨୦ଟି କମ୍‌ ପ୍ରଭାବିତ ହେବ ବୋଲି ଭବିଷ୍ୟବାଣୀ କରିଛି ମାଇକ୍ରୋସଫ୍ଟ।

ସାଧାରଣତଃ ଯେତେବେଳେ AIର କଥା କୁହାଯାଏ, ଲୋକମାନେ ଭାବନ୍ତି ଯେ ଏହା ଯୋଗୁଁ ଆଗାମୀ ସମୟରେ IT, କନସଲ୍ଟାନ୍ସି, ଗବେଷଣା ଭଳି ଚାକିରି ଶେଷ ହୋଇଯିବ। କିନ୍ତୁ Microsoftର ଗବେଷଣା ପ୍ରକାଶ କରିଛି ଯେ ବାସ୍ତବରେ ଏହାଠାରୁ ଆଶା ଠାରୁ ବି ଅଧିକ। AI ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଶିଳ୍ପଗୁଡ଼ିକୁ ପ୍ରତିଯୋଗିତା କରିବା ପରିବର୍ତ୍ତେ କୋ-ପାଇଲଟ୍ ଭାବରେ AIର ବ୍ୟବହାର କରିବା ଶିଖିବାକୁ ପଡିବ ବୋଲି କହିଛି ମାଇକ୍ରୋସପ୍ଟ।

AI ଯୋଗୁଁ ହାଇ-ଓଭରଲାପ୍ ତାଲିକାର ଶୀର୍ଷରେ ରହିଛି ଗ୍ରାହକ ପ୍ରତିନିଧି ବା କଷ୍ଟମର ରିପ୍ରେଜେଣ୍ଟିଭ୍‌। ସେମାନଙ୍କ ସହିତ ପ୍ରାୟ ୨.୮୬ ନିୟୁତ ଲୋକ ଜଡିତ ଅଛନ୍ତି। ଏହା ବ୍ୟତୀତ, AI ଉପରେ ଏହି ଷ୍ଟଡି ଲେଖକ, ସାମ୍ବାଦିକ, ସମ୍ପାଦକ, ଅନୁବାଦକ ଏବଂ ପ୍ରୁଫ୍ ରିଡରଙ୍କ ପାଇଁ ସତର୍କ ଘଣ୍ଟି। ଏହା ସହିତ ୱେବ ଡେଭଲପର, ଡାଟା ସାଇଣ୍ଟିଷ୍ଟ, ପିଆର ପ୍ରଫେସନାଲ, ବିଜନେସ୍‌ ଆନାଲିଷ୍ଟଙ୍କ କ୍ଷେତ୍ରରେ ଦୀର୍ଘକାଳୀନ ଚାକିରି ସୁରକ୍ଷା ବିଷୟରେ ପ୍ରଶ୍ନ ଉଠାଯାଇଛି। ଏହି ଚାକିରିଗୁଡ଼ିକରେ ChatGPT ଏବଂ Copilot ପରି AI ପୂର୍ବରୁ ବ୍ୟବହୃତ ହୋଇସାରିଛି।

ଇଣ୍ଟରପ୍ରେଟର୍ସ ଏବଂ ଟ୍ରାନ୍ସଲେଟର୍ସ, ସାମାଜିକ ବିଜ୍ଞାନ ଗବେଷଣା ସହାୟକ, ଇତିହାସକାର, ସାମାଜିକବିଜ୍ଞାନୀ, ରାଜନୈତିକ ବୈଜ୍ଞାନିକ, ଜନସମ୍ପର୍କ ବିଶେଷଜ୍ଞ, ଏଡିଟର୍ସ, କ୍ଲିନିକାଲ ଡାଟା ମ୍ୟାନେଜର, ସାମ୍ବାଦିକ, ଟେକ୍ନିକାଲ୍ ରାଇଟର୍ସ, କପିରାଇଟର, ପ୍ରୁଫ୍‌ ରିଡର ଏବଂ କପି ମାର୍କର, କୋର୍ଟ ରିପୋର୍ଟର, ଲେଖକ,ପୋଷ୍ଟ ସେକେଣ୍ଡାରୀ ଟିଚର୍‌, ମାନସିକ ସ୍ୱାସ୍ଥ୍ୟ ଏବଂ ନିଶା ନିବାରଣ ସାମାଜିକ କର୍ମୀ, କ୍ରେଡିଟ୍ କାଉନସେଲର୍‌, ଟ୍ୟାକ୍ସ ପ୍ରସ୍ତୁତକାରୀ, ଆଇନ ସଚିବ, ଜବ ଆନାଲିଷ୍ଟ, ମାର୍କେଟ୍‌ ରିସର୍ଚ୍ଚ ଆନାଲିଷ୍ଟ ଅଧିକ ବିପଦରେ ରହିଛି। ସେହିପରି HR ବିଭାଗ, ଗ୍ରାହକ ସେବା ପ୍ରତିନିଧି, ଲୋନ୍‌ ଅଫିସର, ବଜେଟ୍ ବିଶ୍ଳେଷକ, କମ୍ପ୍ୟୁଟର ସିଷ୍ଟମ ବିଶ୍ଳେଷକ, ଡାଟା ବୈଜ୍ଞାନିକ, ଟ୍ରାଭେଲ ଏଜେଣ୍ଟ ମଧ୍ୟ ସବୁଠୁ ଅଧିକ ପ୍ରଭାବିତ ହେବେ।

ଏଆଇ ଦ୍ୱାରା କମ୍ ପ୍ରଭାବିତ ହେବେ ପମ୍ପ ଅପରେଟର, କୁଲିଂ ଏବଂ ଫ୍ରିଜିଂ ପ୍ରଡକ୍ଟ ଅପରେଟର, ପାୱାର ଡିଷ୍ଟ୍ରିବ୍ୟୁଟର୍‌, ଅଗ୍ନିନିରୋଧୀ ପର୍ଯ୍ୟବେକ୍ଷକ, ପ୍ଲାଣ୍ଟ ଅପରେଟର, କ୍ରସିଂ, ଗ୍ରାଇଣ୍ଡିଂ ମେସିନ୍ ଅପରେଟର, ନିର୍ମାଣ ଶ୍ରମିକ, ଖଣି କଟା ମେସିନ୍ ଅପରେଟର, ଟାୟାର ନିର୍ମାଣକାରୀ, ଇନ୍ସ୍ୟୁଲେସନ୍ କର୍ମଚାରୀ, ଲୁହା ଏବଂ ଇସ୍ପାତ କର୍ମଚାରୀ। 

ସାମଗ୍ରିକ ଭାବରେ, ମାଇକ୍ରୋସଫ୍ଟର ଏହି ଷ୍ଟଡିରେ କୁହାଯାଇଛି ଯେ AI ମଣିଷଙ୍କୁ ବଦଳାଉନାହିଁ। ଏହା କେବଳ କାମ କରିବାର ଉପାୟ ପରିବର୍ତ୍ତନ କରୁଛି। ଆମେ କାମ କରିବା ସମୟରେ ଆମକୁ ସାହାଯ୍ୟ କରିବା ପାଇଁ ଏହାକୁ ବ୍ୟବହାର କରିପାରିବା। ଏପରି ପରିସ୍ଥିତିରେ, ଆଗାମୀ ପରିବର୍ତ୍ତନ ସହିତ ଖାପ ଖୁଆଇବା ଏବଂ AI ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାର ଆବଶ୍ୟକତା ଅଛି। AI ସବୁକିଛି କପି କରିପାରିବ ନାହିଁ କାରଣ ଏପରି ଅନେକ ଜିନିଷ ଅଛି ଯାହା ପାଇଁ ଗଭୀର ଚିନ୍ତାଧାରା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ଆବଶ୍ୟକ, ଯାହା AI କରିପାରିବ ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.