ନୂଆଦିଲ୍ଲୀ: ରାଜ୍ୟ ମାନ୍ୟତା ଦାବି କରି ବୁଧବାର ଲଦାଖରେ ବିକ୍ଷୋଭ ହିଂସକ ରୂପ ନେଇଛି। ଏଥିରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ପ୍ରଦର୍ଶନକାରୀମାନେ ଦାବି କରିଛନ୍ତି। ଫଳରେ ଘଟଣା ସ୍ଥଳରେ ଲଦାଖ ପ୍ରଶାସନ କର୍ଫ୍ୟୁ ଜାରି କରିଛନ୍ତି। ଏବଂ ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ନିଷେଧ ଲଗାଯାଇଛି।

ପୋଡ଼ାଜଳା ସମୟରେ, ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ଏକ ଗାଡ଼ି ମଧ୍ୟ ପୋଡ଼ି ଦିଆଯାଇଥିଲା। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିବା ସହିତ ଲାଠିଚାର୍ଜ କରିଥିଲା। ଉତ୍ତେଜନା ପରେ, ଲେହରେ କେନ୍ଦ୍ରୀୟ ପ୍ରଶାସନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ ର ଧାରା ୧୬୩ ଅନୁଯାୟୀ କର୍ଫ୍ୟୁ ଜାରି କରିଛି। ଲେହରେ ପ୍ରତିବାଦ ଏବଂ ସମାବେଶକୁ  ଓ ରାଲିକୁ ତୁରନ୍ତ ନିଷିଦ୍ଧ କରାଯାଇଛି। ବିନା ଲିଖିତ ଅନୁମତିରେ କେହି ରାଲି କରିପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି।

ଲେହ ଆପେକ୍ସ ବଡି (LAB)ର ଯୁବ ଶାଖା ଦ୍ୱାରା ଡକାଯାଇଥିବା ଏହି ଆନ୍ଦୋଳନ, ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଥିଲା। ତେବେ ଆନ୍ଦୋଳନରେ ୪ ଜଣଙ୍କର ମୃତ୍ୟୁ ପରେ ଏଲ୍‌ଏବି ଅଧ୍ୟକ୍ଷ ଥୁପ୍‌ସ୍ତାନ୍‌ ସ୍ୱାଙ୍ଗ୍‌ କହିଛନ୍ତି ଆନ୍ଦୋଳନରେ ମୃତ୍ୟୁ ହୋଇଥିବା ପ୍ରଦର୍ଶନକାରୀଙ୍କ ବଳିଦାନ ବ୍ୟର୍ଥ ଯିବନି।

ଲଦାଖ ପୂର୍ବ ଜମ୍ମୁ-କାଶ୍ମୀର ରାଜ୍ୟର ଅଂଶ ଥିଲା। ହେଲେ ୫ ଅଗଷ୍ଟ ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଯିବା ସହିତ ସିଧାସଳଖ କେନ୍ଦ୍ର ନିୟନ୍ତ୍ରଣକୁ ଚାଲି ଆସିଥିାଲା। ସେତେବେଳେ ଲଦାଖବାସୀ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ହେଲେ ଏବେ ସେମାନେ ଲଦାଖ ପାଇଁ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି।

ଏହି ଦାବି ନେଇ ଦୀର୍ଘ ୧୪ ଦିନ ହେଲା ଲଦାଖର ୧୫ ଜଣ ପ୍ରଦର୍ଶନକାରୀ ଅନଶନ କରିଥଇଲେ। ସେପ୍ଟେମ୍ବର ୧୦ ତାରିଖରୁ ପରିବେଶବିତ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଅନଶନରେ ଥିବା ୧୫ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ବନ୍ଦ ଡାକରା ଦିଆଯାଇଥିଲା। ବୁଧବାର ଏହା ହିଂସାର ରୂପ ନେଇଛି। ସେପଟେ ୱାଙ୍ଗଚୁକ୍ ମଙ୍ଗଳବାର ତାଙ୍କର ୧୫ ଦିନିଆ ଅନଶନ ସମାପ୍ତ କରିଛନ୍ତି ଏବଂ ସମର୍ଥକମାନଙ୍କୁ ହିଂସା ଏଡାଇବାକୁ ଅନୁରୋଧ କରିଛନ୍ତି। ଜେନ୍‌ ଜିଙ୍କ ଉନ୍ମାଦ ଶାନ୍ତି ପ୍ରକ୍ରିୟାକୁ ବାଧା ଦେଇଛି ବୋଲି ସେ କହିଛନ୍ତି।

ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏବଂ ଲଦାଖର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ନୂଆ ଆଲୋଚନା ପାଇଁ ତାରିଖ ସ୍ଥିର ହୋଇଛି। ଯେଉଁଥିରେ ଲେହ ଆପେକ୍ସ ବଡି (LAB) ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (KDA) ର ସଦସ୍ୟମାନେ ସରକାରଙ୍କ ସହ ସେମାନଙ୍କର ଦାବି ନେଇ ଆଲୋଚନା କରିବେ। ଅକ୍ଟୋବର ୬ ତାରିଖରେ ଏହି ବୈଠକ ହେବ।