ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୂ ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କରିବା ପରେ ଦିଲ୍ଲୀ ସରକାର କ୍ଲାଉଡ ସିଡିଂ କରି କୃତିମ ବର୍ଷା କରିବାକୁ ଚେଷ୍ଟା କଲେ। ଥରେ ନୁହେଁ ୩ ଥର ଉଦ୍ୟମ ହେଲା ପରେ ବି ଫଳ ଶୂନ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା, ହେଲେ ରାଜଧାନୀରେ ଗୋଟିଏ ବି ବୁନ୍ଧା ବର୍ଷା ଝରିଲା ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ଷାଇ କରାଇବା ପାଇଁ ୩ଟି ଟ୍ରାଏଲ୍ ହୋଇଛି। ଏଥିରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ସରକାର ଗୋଟେ ଅସଫଳ ପ୍ରୟାଶରେ ଜନତାଙ୍କ ଟଙ୍କା ଏଭଳି ଖର୍ଚ୍ଚ କରିବା ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଟିକେ ବର୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ତାହା ପୁଣି ଏମିତି ଏକ ପ୍ରୟାସରେ, ଯାହାର ଐତିହାସିକ ସଫଳତା ବହୁତ କମ, ତାହା କେତେ ଦୂର ଠିକ୍ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ସରକାର, ଆଇଆଇଟି କାନପୁର ସହଯୋଗରେ, ଆଜି ପର୍ଯ୍ୟନ୍ତ ତିନୋଟି ପରୀକ୍ଷଣ କରିଛନ୍ତି। ଗୋଟିଏ ଅକ୍ଟୋବର ୨୩ ରେ ଏବଂ ଦୁଇଟି ଅକ୍ଟୋବର ୨୮ ରେ ହୋଇଛି। ଏଥିରେ କୌଣସି ଟ୍ରାଏଲ୍‌ରେ ରାଜଧାନୀରେ ଉଲ୍ଲେଖନୀୟ ବର୍ଷା ହୋଇ ନାହିଁ।
ଆଇଆଇଟି କାନପୁର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲଙ୍କ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ୩୦୦ ବର୍ଗ କିଲୋମିଟରରୁ ଅଧିକ ପରିସରରେ ଦୁଇଟି କ୍ଲାଉଡ ସିଡିଂ ପରୀକ୍ଷଣ ହୋଇଥିଲା। ଏଥିରେ ମୋଟ ଖର୍ଚ୍ଚ- ପ୍ରାୟ ୬୦ ଲକ୍ଷ ଟଙ୍କା ଥିଲା। ହିସାବ ଅନୁସାରେ ଦେଖିଲେ ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୨୦,୦୦୦ ଟଙ୍କା ହେବ।
ଶୀତ ୠତୁରେ, ଦିଲ୍ଲୀର ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଏପରି ପାଞ୍ଚଟି ପରୀକ୍ଷଣ ପାଇଁ ଦିଲ୍ଲୀ ସରକାର ୩.୨୧ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଥିଲେ। ହେଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ ଆଇଆଇଟି କାନପୁର ଏହି ବଜେଟ୍ ରୁ ୯ଟି ପରୀକ୍ଷଣ କରିବ। ଏହି ବଜେଟ୍‌କୁ ବି ସରଳ ଭାବରେ ହିସାବ କଲେ ୯ଟି ଟ୍ରାଏଲ ପାଇଁ ମୋଟ ୩.୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଗୋଟିଏ ପରୀକ୍ଷଣ ପିଛା ୩୫.୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୩ଟି ପରୀକ୍ଷଣ କରାଯାଇଥିବା ବେଲେ ଦିଲ୍ଲୀରେ ଗୋଟିଏ ଟୋପା ବି ବର୍ଷା ଝରି ନାହିଁ।

ଆଇଆଇଟି କାନପୁର ଡାଇରେକ୍ଟର ଶ୍ରୀ ଅଗରୱାଲ କହିଛନ୍ତି ଯେ ଯଦି ପୂରା ଶୀତ ଋତୁରେ ଏଭଳି କ୍ଲାଉଡ ସିଡିଂ କଲେ ପାଖାପାଖି ୨୫ ରୁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଖର୍ଚ୍ଚ ହେଉଥିବା ୩୦୦ କୋଟି ବଜେଟକୁ ଦେଖିଲେ କ୍ଲାଉଡ ସିଂଡିଂ ବହୁତ କମ ଖର୍ଚ୍ଚ। ତଥାପି, ଯେହେତୁ କ୍ଲାଉଡ୍ ସିଡିଂ ଫଳାଫଳ ବହୁତ କମ ତେଣୁ ସେ ଦୃଷ୍ଟିରୁ ଏତେ ଟଙ୍କା ଖର୍ଚ୍ଚ କରିବା ଚିନ୍ତାର ବିଷୟ ନିଶ୍ଚିତ।

ସେଥିରେ ପୁଣି କ୍ଲାଉଡ ସିଂଡିଂ ପାଇଁ ବିମାନ ତିଆରି କରିବା, ଉଡ଼ାଣ ଖର୍ଚ୍ଚ, ଏବଂ ଅନ୍ୟାନ୍ୟ ପ୍ରସ୍ତୁତିରେ ଖର୍ଚ୍ଚ ହୋଇଥାଏ। ବର୍ତ୍ତମାନ ଭାରତରେ କ୍ଲାଉଡ ସିଡିଂ ପାଇଁ କୌଣସି ସ୍ୱତନ୍ତ୍ର ବିମାନ ନାହିଁ। ତେଣୁ ଏହାର ପ୍ରସ୍ତୁତି କରାଯାଉଛି। ତା ସହିତ ଫ୍ଲେୟାର ରାକ୍ (ଯାହା ସିଲଭର ଆୟୋଡାଇଡ୍ ମିଶ୍ରଣକୁ ଆକାଶରେ ଛିଞ୍ଚେ), କ୍ଲାଉଡ୍ କଣ୍ଡେସନ୍ ନ୍ୟୁକ୍ଲିୟସ୍ (CCN), ସ୍କାନିଂ ମୋବିଲିଟି ପାର୍ଟିକିଲ୍ ସାଇଜର୍, ମାଇକ୍ରୋୱେଭ୍ ରେଡିଓମିଟର, ରେଡିଓସୋଣ୍ଡ୍ ବେଲୁନ୍ ଏବଂ ସେନ୍ସର ଭଳି ସାମଗ୍ରୀ ଏବଂ ଉପକରଣର ମୂଲ୍ୟ ପ୍ରାୟ .୩୦ କୋଟି ଟଙ୍କା ହେବ। ପାଇଲଟ୍ ଫିସ୍, କ୍ରୁ ଚାର୍ଜ ଏବଂ ସେମାନଙ୍କର ବୀମା ପୃଥକ, ଏସବୁ ଦେଖିଲେ ଏହି ପ୍ରକ୍ରିୟା ଏକ ମହଙ୍ଗା ପ୍ରକ୍ରିୟା ନିଶ୍ଚିତ।

ତେବେ ଦିଲ୍ଲୀରେ କ୍ଲାଉଡ ସିଡିଂ ପ୍ରଥମ ଥର ହେଉ ନାହିଁ। ଦିଲ୍ଲୀର ପ୍ରଥମ କ୍ଲାଉଡ୍-ସିଡିଂ ୧୯୫୭ ମସିହାରେ କରାଯାଇଥିଲାଏହାପରେ ୧୯୭୨ ମସିହାରେ ଆଉ ଏକ ପ୍ରଚେଷ୍ଟା ହୋଇଥିଲା। ହି ପରୀକ୍ଷଣଗୁଡ଼ିକ ମରୁଡ଼ିରୁ ରକ୍ଷା  ପାଇବାକୁ କରାଯାଇଥିଲା। ତେବ ପ୍ରଦୂଷଣ ନିୟନ୍ତ୍ରଣା ପାଇଁ ଦିଲ୍ଲୀରେ ପ୍ରଥମ ଥର କ୍ଲାଉଡ୍ ସିଡିଂ କରାଯାଇଛି।  

ତେବଳ ଦିଲ୍ଲୀ ନୁହେଁ, ବର୍ଷା ଅଭାବୀ ଅଞ୍ଚଳ ଆନ୍ଧ୍ରପ୍ରଦେଶ ମଧ୍ୟ ମରୁଡ଼ି ମୁକାବିଲା ପାଇଁ ୨୦୦୪  ଓ ୨୦୦୯ମଧ୍ୟରେ କ୍ଲାଉଡ୍ ସିଡିଂ ପରୀକ୍ଷଣ କରିଛି। ଏଥିରେ ବି ଫଳାଫଳ ସନ୍ତୋଷଜନକ ଆସି ନଥିଲା। ତଥ୍ୟ ଦର୍ଶାଉଛି ଯେ ସେହି ବର୍ଷ ମଧ୍ୟରେ, ଆନ୍ଧ୍ର କ୍ଲାଉଡ୍ ସିଡିଂ ପାଇଁ ୧୧୯ କୋଟି ଟଙ୍କା ଖର୍ଚ୍ଚ କରି ବି ସଫଳ ହୋଇ ନଥିଲା।